Latest Odisha News

ମୋତେ କହିଥିଲେ ଗେଟ୍ ଆଉଟ୍…

ଭୁବନେଶ୍ବର: ଥାନାରୁ ଗେଟ୍ ଆଉଟ୍ କହିଥିଲେ ଆଇଆଇସି। ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ କେନ୍ଦୁଝର ଥାନାରେ ମୋହନ ମାଝୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଥାନା ଅଧିକାରୀ। ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ସଂପର୍କରେ କହି ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ ହେଉଛି । ଆସନ୍ତାକାଲି ସମସ୍ତ ଜିଲ୍ଲାର ଏସପିଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ସମ୍ମିଳନୀରେ ସରକାରୀ ଯୋଜନାର ସଫଳ ରୂପାୟନକୁ ଗୁରୁତ୍ବ ଦେଇଛନ୍ତି ମୋହନ ମାଝୀ ।

ଦୁର୍ବ୍ୟବହାର କରିଥିଲେ ଆଇଆଇସି

ବିଜେପି ସରକାରକୁ ଆସିବାର ମାସକ ପୂର୍ବରୁ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିଥିଲେ ଥାନା ଅଧିକାରୀ । ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଏକ ଅଭିଯୋଗକୁ ନେଇ କେନ୍ଦୁଝର ଥାନାକୁ ଯାଇଥିଲେ ମୋହନ ମାଝୀ । ହେଲେ ଆଇଆଇସି ଅଭିଯୋଗ ଶୁଣିବା ପୂର୍ବରୁ ହିଁ ତାଙ୍କର ଥାନାକୁ ଆସିବାର ଅଧିକାର ନାହିଁ କହିବା ସହ ଗେଟ୍ ଆଉଟ୍ କହିଥିଲେ । ଆଇଆଇସି କାହା ଚାପରେ ଆସି ଏଭଳି କରିଥିବେ କହିବା ସହ ତାଙ୍କୁ କ୍ଷମା କରି ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଲୋକଙ୍କ ପ୍ରତି ପୋଲିସ କିଭଳି ବ୍ୟବହାର କରୁଛି ସେନେଇ ଉଦାହରଣ ଦେଇ ଏଭଳି କହିଛନ୍ତି ମୋହନ ମାଝୀ । ତେବେ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଅଫିସ ବୁଲି ଅନିୟମିତତା ହେଉଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଭ୍-ଟି ବ୍ୟବସ୍ଥାକୁ କଟାକ୍ଷ

ଜିଲ୍ଲାପାଳ ସମ୍ମିଳନୀରେ ପୂର୍ବ ସରକାରର ଫାଇଭ୍-ଟି ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷାର ଭିତ୍ତିଭୂମି ବିକାଶ କରିବା ବଦଳରେ ସ୍କୁଲ କାନ୍ଥରେ ରଙ୍ଗ ମାରିଥିଲେ ବିଜେଡି ସରକାର । କେବଳ ସ୍କୁଲ କାନ୍ଥରେ ରଙ୍ଗ ବୋଳିଦେଲେ ବିକାଶ ହୁଏନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ସରକାରୀ ଅଧିକାରୀଙ୍କ ନିୟମିତ ବଦଳିକୁ ଗୁରୁତ୍ବ ଦେବା ସହ ପୂର୍ବ ସରକାରକୁ ସମାଲୋଚନା କରିଛନ୍ତି । ପୂର୍ବ ସରକାରରେ ଜଣେ ଜଣେ ଅଧିକାରୀ ବହୁ ବର୍ଷ ଧରି ରହିଥିବା ଦେଖିବାକୁ ମିଳିଛି । ହେଲେ ବିଜେପି ସରକାରରେ ପୂର୍ବ ବ୍ୟବସ୍ଥା ଚାଲିବନି । ସରକାରୀ ଅଧିକାରୀଙ୍କ ବଦଳି ହେଲେ ସ୍ବଚ୍ଛତା ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜନତା ଓ ସରକାର ମଧ୍ୟରେ ଜିଲ୍ଲାପାଳ ସେତୁ

ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ସେତୁ ହେଉଛନ୍ତି ଜିଲ୍ଲାପାଳ। ରାଜଧାନୀ ଛାଡିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ । ଜିଲ୍ଲାସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାରୀ ଯୋଜନାର କିଭଳି ସଫଳ ରୂପାୟନ ହୋଇପାରିବ, ସେ ଦାୟିତ୍ବ ଜିଲ୍ଲାପାଳଙ୍କର । ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ହିଁ ରାଜ୍ୟରୁ ଗରିବୀ ହଟିବ । ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।

ସୋସିଆଲ୍ ମିଡିଆରେ ଅଭିଯୋଗ…ନିଅ ଆକ୍ସନ୍

ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଆସୁଥିବା ବିଭିନ୍ନ ଅଭିଯୋଗ ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ନୀତି ନେଇ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଥାନା ଓ ଶିକ୍ଷାନୁଷ୍ଠାନ ଯିବାକୁ ପରାମର୍ଶ ଦେବା ସହ ସେଠାରେ କୌଣସି ଅନିୟମିତତା ଦେଖିଲେ ତୁରନ୍ତ ଆକ୍ସନ ନେବାକୁ କହିଛନ୍ତି । ଏଥିସହ ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.