Latest Odisha News

ନାଇଡୁଙ୍କୁ ‘ସୁପ୍ରିମ’ ଭର୍ତ୍ସନା: ପ୍ରମାଣ ନଥାଇ କାହିଁକି କହିଲ?

ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡୁ ବିବାଦରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ତିରୁପତି ଲଡୁ ନେଇ ନାଇଡୁଙ୍କ ଦାବିକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଲଡୁ ପ୍ରସାଦରେ ପଶୁ ଚର୍ବି ଯୁକ୍ତ ଘିଅ ମିଶୁଛି ବୋଲି ଦାବି କରି ତରବରିଆ ଭାବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିବାରୁ ଭର୍ତ୍ସନା କରିଛନ୍ତି କୋର୍ଟ । ଏ ବାବଦରେ ପ୍ରମାଣ ଲୋଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନ୍ତତଃ ଭଗବାନଙ୍କୁ ରାଜନୀତିରେ ଦୂରେଇ ରଖାଯାଉ ବୋଲି ମାମଲାର ଶୁଣାଣି ବେଳେ ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ।

ବିନା ପ୍ରମାଣରେ ଟିପ୍ପଣୀ ପାଇଁ ନାଇଡୁଙ୍କୁ ଭର୍ତ୍ସନା

ତିରୁପତି ମନ୍ଦିରର ପ୍ରସିଦ୍ଧ ଲଡୁ ପ୍ରସାଦ ପଶୁ ଚର୍ବିଯୁକ୍ତ ଘିଅରେ ନିର୍ମିତ ବୋଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ବୟାନରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବି.ଆର୍ ଗଭାଇ ଓ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି । ଲଡୁରେ ପଶୁ ଚର୍ବି ଯୁକ୍ତ ଘିଅ ବ୍ୟବହାର କରାଯାଉଛି ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ସୂଚନା ଦେବା ଠିକ୍ ହୋଇନାହିଁ । ଜଣେ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରେ ସର୍ବସାଧାରଣରେ ବିବୃତି ଦେବା ଠିକ୍ ନୁହେଁ । ଅପମିଶ୍ରିତ ଘିଅରେ ଲଡୁ ତିଆରି ହେଉଥିଲା ବୋଲି ନିଶ୍ଚିତ ପ୍ରମାଣ ବିନା ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିପରି ସାର୍ବଜନୀନ ଟିପ୍ପଣୀ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସେପଟେମ୍ବର ୧୮ ତାରିଖରେ ତିରୁପତି ଲଡୁ ନେଇ ଅଭିଯୋଗ କରିଥିଲେ । କିନ୍ତୁ ଏହି ମାମଲାରେ ସେପଟେମ୍ବର ୨୫ ତାରିଖରେ ହିଁ ଏତଲା ଦାୟର କରାଯାଇଥିଲା । ରାଜ୍ୟ ସରକାର ସେପଟେମ୍ବର ୨୬ ତାରିଖରେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ଏସଆଇଟି ତଦନ୍ତ ରିପୋର୍ଟ ଯାଏଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅପେକ୍ଷା କରିପାରିଥାଆନ୍ତେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଲୋକଙ୍କ ଆସ୍ଥାକୁ ନେଇ ରାଜନୀତି କରାଯିବା ଠିକ୍ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ

ଭଗବାନ ଭେଙ୍କଟେଶ୍ୱରଙ୍କୁ ଲାଗି ହେଉଥିବା ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ମିଶାଯାଉଛି ବୋଲି ଆନ୍ଧ୍ର ସରକାର କରିଥିବା ଦାବି ନେଇ ପ୍ରମାଣ ଲୋଡିଥିଲେ କୋର୍ଟ । ଏହାର ଯାଂଚ ଚାଲିଛି ବୋଲି ତିରୁପତି ମନ୍ଦିର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ସିଦ୍ଧାର୍ଥ ଲୁଥରା ଖଣ୍ଡପୀଠଙ୍କୁ କହିଥିଲେ । ଆନ୍ଧ୍ର ପ୍ରଦେଶ ସରକାର ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପ୍ରତିନିଧିତ୍ୱ କରୁଛନ୍ତି ।

ଏସଆଇଟି ତଦନ୍ତ ଜାରି ନେଇ ନିଷ୍ପତ୍ତି ନେବେ କୋର୍ଟ

ତିରୁପତି ଲଡୁରେ ଅପମିଶ୍ରିତ ଘିଅ ମିଶାଯାଉଥିବା ଅଭିଯୋଗର ଯାଂଚ କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଗଠନ କରିଛନ୍ତି ଏସଆଇଟି । ରାଜ୍ୟ ଏସଆଇଟି ଘଟଣାର ତଦନ୍ତ ଜାରି ରଖିବ ନା କୌଣସି ସ୍ୱାଧୀନ ଏଜେନସୀକୁ ଦାୟିତ୍ୱ ଦିଆଯିବ, ସେ ନେଇ ଗୁରୁବାର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ । ଏ ବାବଦରେ ସହାୟତା କରିବାକୁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ।

ନାଇଡୁଙ୍କ ଅଭିଯୋଗ ପରେ ଦାଖଲ ହୋଇଥିଲା ପିଟିସନ

ଅପମିଶ୍ରିତ ଘିଅରେ ଲଡୁ ପ୍ରସାଦ ପ୍ରସ୍ତୁତ ହେଉଥିବା ନେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗ ପରେ ବିବାଦ ସୃଷ୍ଟି ହୋଇଥିଲା । ପୂର୍ବର ଜଗନମୋହନ ରେଡ୍ଡିଙ୍କ ସରକାର ଅମଳରେ ଏପରି ହେଉଥିଲା ବୋଲି କହିଥିଲେ ନାଇଡୁ । ନାଇଡୁଙ୍କ ଅଭିଯୋଗ ପରେ ୱାଇଏସଆର୍ କଂଗ୍ରେସ ପାର୍ଟିର ରାଜ୍ୟସଭା ସଦସ୍ୟ ତଥା ଟିଟିଡିର ପୂର୍ବତନ ଅଧ୍ୟକ୍ଷ ୱାଇ.ଭି ସୁବ୍‌ବା ରେଡ୍ଡି ଓ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । କୋର୍ଟ ତଦାରଖରେ ଘଟଣାର ଯାଂଚ ହେଉ ବୋଲି ଦାବି କରିଛନ୍ତି ଦୁଇ ନେତା । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଗୁରୁବାର ଦିନ ହେବ ।

Leave A Reply

Your email address will not be published.