Latest Odisha News

ସମ୍ବାଦ-ନବୀନ ସଂପର୍କ…କେବେ ଖଟା କେବେ ମିଠା

ଭୁବନେଶ୍ବର: ସମ୍ବାଦ ଗ୍ରୁପ ସହ ନବୀନଙ୍କ ସଂପର୍କରେ ଟୁଇଷ୍ଟ ! ଦିନେ ସମ୍ବାଦ ସଂପାଦକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିକୁ ପାଛୋଟି ନେଇଥିଲେ । ପରେ ସଂପାଦକୀୟକୁ ନେଇ ଦଳରୁ କଲେ ବିଦା। ଏବେ ପୁଣି ସଂପର୍କ ଟ୍ରାକକୁ ଫେରାଇବାକୁ ଉଦ୍ୟମ ! ସମ୍ବାଦ ଗ୍ରୁପ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସଂପର୍କରେ ରହିଛି ଅନେକ ଟୁଇଷ୍ଟ ଆଉ ଟର୍ଣ୍ଣ । ବିଜେଡିରେ ଥାଇ ମଧ୍ୟ ନିଜ ସଂପାଦକୀୟ ଆମ ଘର ହାଲଚାଲରେ ସୌମ୍ୟ ସେତେବେଳର ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ବିଜେଡି ସରକାର ତାଙ୍କ ଖବରକାଗଜ ବନ୍ଦ କରିବାକୁ ଉଦ୍ୟମ କରିଥିବା ସୌମ୍ୟ ଅଭିଯୋଗ କରିଥିଲେ। ତେବେ ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀରେ ନବୀନ ଯୋଗ ଦେବା ପୁଣି ସଂପର୍କ ସୁଧାରିବା ପ୍ରୟାସ ଭାବେ ଦେଖାଯାଉଛି।

ସୌମ୍ୟ: ସମାଲୋଚକରୁ ସହଯୋଗୀ

ବିଜେଡିର ଆଦର୍ଶ ବିରୋଧରେ ଦୀର୍ଘ ଦିନ ଧରି ଲଢେଇ କରିଆସୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ୨୦୧୮ରେ ଦଳରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ରାଜନୀତିରେ ଯେ କେହି କାହାର ଚିର ଶତ୍ରୁ ନୁହଁନ୍ତି ସେକଥା ପ୍ରମାଣ କରିଥିଲେ ସୌମ୍ୟ। ବିଜେଡିରେ ମିଶିବା ଆଗରୁ ନବନିର୍ମାଣ କୃଷକ ସଂଗଠନ ନେତା ଭାବେ ହେଉ କିମ୍ବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବା ହେଉ, ବିଭିନ୍ନ ପ୍ରସଙ୍ଗରେ ତତ୍କାଳୀନ ବିଜେଡି ସରକାରକୁ କାଠଗଡାକୁ ଟାଣିଥିଲେ ସୌମ୍ୟ । ତେବେ ବିଜେଡିରେ ସାମିଲ ହେବା ସହ ବ୍ୟକ୍ତି ଓ ଦଳଠୁ ବିଚାର ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା।

ସୌମ୍ୟଙ୍କୁ ସଂପାଦକୀୟ ଅଡୁଆ

ବିଜେଡିରେ ଯୋଗ ଦେବା ସହ ରାଜନୈତିକ ଶିଡି ଚଢୁଥିଲେ ସୌମ୍ୟ। ପ୍ରଥମେ ରାଜ୍ୟସଭା ସାଂସଦ ପରେ ଖଣ୍ଡପଡାରୁ ବିଧାୟକ ହୋଇଥିଲେ। ହେଲେ ସୌମ୍ୟଙ୍କୁ ଅଡୁଆରେ ପକାଇଥିଲା ସଂପାଦକୀୟ ଆମ ଘର ହାଲଚାଲ୍। ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ। ଏଥିସହ ନେତା ବଡ ନା ସଚିବ ବଡ଼, ସେନେଇ ପ୍ରଶ୍ନ କରିଥିଲେ । ବିଜେଡିରେ ଥାଇ ଦଳ ବିରୋଧରେ ଏଭଳି ବୟାନକୁ ବିଜେଡି ନେତା ବି ଖୋଲାଖୋଲି ବିରୋଧ କରିଥିଲେ । ପରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ସମ୍ବାଦ ଉପରେ ସୌମ୍ୟ ଇଫେକ୍ଟ !

ସୌମ୍ୟଙ୍କ ସଂପାଦକୀୟ ବିବାଦର ଆଞ୍ଚ ସମ୍ବାଦ ଗ୍ରୁପ ଉପରେ ବି ପଡିଥିବା ଅଭିଯୋଗ ହୋଇଥିଲା। କର୍ମଚାରୀଙ୍କ ନାଁରେ ଜାଲିଆତି କରି ଋଣ ନେବା ଅଭିଯୋଗରେ ଇଷ୍ଟର୍ଣ୍ଣ ମିଡିଆ କାର୍ଯ୍ୟାଳୟରେ ଚଢାଉ କରିଥିଲା ଇଓଡବ୍ଲୁ। ଏପରିକି ସରକାରୀ ବିଜ୍ଞାପନ ବନ୍ଦ କରିବା ସହ ଅନ୍ୟ ଘରୋଇ କମ୍ପାନୀ ବିଜ୍ଞାପନଦାତାଙ୍କୁ ମନା କରାଯାଇଥିବା ସୌମ୍ୟ ଅଭିଯୋଗ କରିଥିଲେ । ସ୍ଥିତି ଏମିତି ହେଲା ଯେ, ପଦ ଛାଡି ସଂସ୍ଥା ବଞ୍ଚାଇବାକୁ ସୌମ୍ୟ ଚାହିଁଥିବା କହିଥିଲେ । ପରେ ତାଙ୍କ ଝିଅ ତନୟା ପଟ୍ଟନାୟକ ସମ୍ବାଦର ସମ୍ପାଦକ ଦାୟିତ୍ବ ନେଇଥିଲେ । ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ସମ୍ବାଦ ସଂପାଦକୀୟକୁ ସୌମ୍ୟ ଫେରିବା ନେଇ ଚର୍ଚ୍ଚା ହୋଇଥିଲେ ବି ସୌମ୍ୟ ଫେରିନାହାନ୍ତି । ତେବେ ସେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ହୋଇଛନ୍ତି ।

ତୁଟିଲା ମାନ ! ସମ୍ବାଦ କାର୍ଯ୍ୟକ୍ରମରେ ନବୀନ

ଯେଉଁ ସମ୍ବାଦ ଖବରକାଗଜକୁ ଦିନେ ବନ୍ଦ କରିବାକୁ ତତ୍କାଳୀନ ବିଜେଡି ସରକାର ପକ୍ଷରୁ ଉଦ୍ୟମ ହୋଇଥିବା ନିଜେ ସୌମ୍ୟ ଅଭିଯୋଗ କରିଥିଲେ, ସେହି ସମ୍ବାଦ ଗ୍ରୁପର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଜଳବାୟୁ ପରିବର୍ତ୍ତନକୁ ନେଇ ନିଜ ଅଭିଭାଷଣ ରଖିଛନ୍ତି ନବୀନ । ତେବେ ସମ୍ବାଦ ଗ୍ରୁପ ସହ ନବୀନଙ୍କ ସଂପର୍କର ପରିବର୍ତ୍ତିତ ପାଣିପାଗକୁ ନେଇ ଚର୍ଚ୍ଚା ବଢିଛି। ସମ୍ବାଦ ଗ୍ରୁପ ରାଜ୍ୟର ଅନ୍ୟତମ ଗଣମାଧ୍ୟମ ସଂସ୍ଥା ହୋଇଥିବା ବେଳେ ପୂର୍ବ କଥା ଭୁଲି ବିଜେଡି ସୌମ୍ୟଙ୍କ ସହ ଭଲ ସଂପର୍କ ରଖିବାକୁ ଚାହୁଁଛି । ସେପଟେ ରାଜ୍ୟରେ ଆଗକୁ ବିଜେଡି କ୍ଷମତାକୁ ଫେରିବା ସମ୍ଭାବନାକୁ ଆଖିରେ ରଖି ସମ୍ବାଦ ଗ୍ରୁପ ବି ବିଜେଡି ସହ ସୁସଂପର୍କ ରଖୁଛି । ସୌମ୍ୟ ନହେଲେ ଝିଅ ତନୟା ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ପାଇଁ ବିଜେଡି ଆଗକୁ ଏକ ଅପସନ ହୋଇପାରେ । ତେଣୁ ପୁରୁଣା କଥା ଭୁଲି ନୂଆ ସଂପର୍କ ଯୋଡିବାକୁ ଉଭୟ ପକ୍ଷ ଚାହୁଁଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.