Latest Odisha News

ପାର୍ବଣରେ ପରିବା ବଜାରରେ ନିଆଁ: ସେଞ୍ଚୁରି ମାରିଲା ଟମାଟୋ

ଭୁବନେଶ୍ବର: ପାର୍ବଣରେ ପରିବା ବଜାରରେ ନିଆଁ। ପାର୍ବଣ ବେଳେ ପରିବା ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି। ଟମାଟୋ ଦର ସେଞ୍ଚୁରି ମାରିଛି। କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଯେମିତି କି ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି। ଚାରି ପାଞ୍ଚ ଦିନ ତଳେ ଟମାଟୋ କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍‌ ଏହା ୧୦୦ ଟଙ୍କାରେ ପହଞ୍ଚିଛି।

ଦେଶରେ ବର୍ଷା ‌ଯୋଗୁଁ ଟମା‌ଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁଁ ଦରବୃଦ୍ଧି ଘଟିଥିବା ବ୍ୟବସାୟୀମାନେ ମତ ଦେଉଥିଲେ ମଧ୍ୟ ଖାଉଟିମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ପାର୍ବଣ ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଓଡ଼ିଶାକୁ ଏବେ କେବଳ ବେଙ୍ଗାଲୁରୁରୁ ଟମାଟୋ ଆସୁଛି। ସେଠାରେ ମଧ୍ୟ ବର୍ଷା ପାଇଁ ଅମଳ ପ୍ରଭାବିତ ହୋଇଛି। ଓଡ଼ିଶାକୁ ବର୍ତ୍ତମାନ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ନୂଆ ଟମାଟୋ ଆସିଯିବା କଥା। କିନ୍ତୁ ବର୍ଷା ଓ ବନ୍ୟା ପାଇଁ ତାହା ଆସିପାରୁନାହିଁ। ଏଥିପାଇଁ ବଜାରରେ ଦର ଅଧିକ ରହୁଛି ବୋଲି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ। ନୂଆ ଟମାଟୋ ନଆସିବା ଯାଏ ଦର କମିବା ସମ୍ଭାବନା ନାହିଁ ବୋଲି କୁହାଯାଉଛି।

ଦୀର୍ଘ ୧୫ ଦିନ ହେବ ପରିବା ଦର ଆକଶ ଛୁଆଁ ରହିଛି। ବାଇଗଣ ୬୦ରୁ ୮୦ , ପୋଟଳ ୮୦, ଭେଣ୍ଡି ୮୦, ବିନ୍ ୮୦ରୁ ୧୦୦, ଝୁଡ଼ଙ୍ଗ ୬୦, କଖାରୁ ୪୦ ଓ କାଙ୍କଡ଼ କିଲୋ ୧୨୦ ଟଙ୍କା ରହିଛି। ସ୍ଥାନୀୟ ଅଞ୍ଚଳରେ ପରିବା ନଥିବାରୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ହୋଇଥିବା କହିଛନ୍ତି ବ୍ୟବସାୟୀ ସଂଘ। ପିଆଜ, ଆଳୁ, ଅଦା ଓ ରସୁଣରେ ମଧ୍ୟ ଲଗାମ ନାହିଁ। ହୁ ହୁ ହୋଇ ଦର ବଢିଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଚାଷୀ-ବ୍ୟବସାୟୀ-ଖାଉଟିଙ୍କ ମଧ୍ୟରେ ସମନ୍ବୟ ରହିଲେ ଏବଂ ସରକାର ଗ୍ରାହକ ‌ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ଭାବେ କରିପାରିଲେ ଦରଦାମରେ କିଛିଟା ନିୟନ୍ତ୍ରଣ ରହିପାରେ।

 

Leave A Reply

Your email address will not be published.