Latest Odisha News

ଟେଷ୍ଟ କ୍ରିକେଟରେ ଦ୍ରୁତ ତ୍ରିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଟେଷ୍ଟରେ ଇଂଲଣ୍ଡର ହ୍ୟାରୀ ବ୍ରୁକ ତ୍ରିଶତକ ହାସଲ କରିଛନ୍ତି । ଆନ୍ତର୍ଜାତୀୟ ଟେଷ୍ଟରେ ଦ୍ରୁତ ତ୍ରିଶତକ ହାସଲରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ନାମରେ ଏବେ ବି ଏହି ରେକର୍ଡ ରହିଛି । ସେହ୍ୱାଗ ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୨୭୮ ବଲରେ ତ୍ରିଶତକ ପୂରଣ କରିଥିଲେ । ସେହ୍ୱାଗଙ୍କ ପଛକୁ ବ୍ରୁକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୩୧୦ ବଲରେ ଏହି ସଫଳତା ହାସଲ କରିଛନ୍ତି ।

ଜିମ୍ବାୱେ ବିପକ୍ଷରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ ୩୬୨ ବଲରେ ତ୍ରିଶତକ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ସେ ୩୮ ଚୌକା, ୧୧ ଛକା ସହାୟତାରେ ୪୩୭ ବଲରେ ୩୮୦ ରନ କରିଥିଲେ । ୨୦୦୪ରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସେହ୍ୱାଗ ୩୬୪ ବଲରେ ତ୍ରିଶତକ ଅର୍ଜନ କରିଥିଲେ । ସେ ୩୯ ଚୌକା ୬ ଛକା ସହାୟତାରେ ସେ ୩୭୫ ବଲରେ ୩୦୯ ରନ କରିଥିଲେ । ଭାରତର କରୁଣ ନାୟାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ୩୦୩ ରନ କରି ଅପରାଜିତ ରହିଥିଲେ । ସେ ୩୮୧ ବଲରେ ତ୍ରିଶତକ ମାରିଥିଲେ ।

ଆଡିଲେଡରେ ଅଷ୍ଟ୍ରେଲିଆର ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ୩୯ ଚୌକା, ଗୋଟିଏ ଛକା ସହାୟତାରେ ୩୩୫ ରନ ସଂଗ୍ରହ କରିଥିଲେ । ସେ ୩୮୯ ବଲରେ ୩୦୦ ରନ ପୂରଣ କରିଥିଲେ । ସେହିପରି ୭ମ ସ୍ଥାନରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ରହିଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷରେ ୪୩୭ ବଲରେ ୩୩୩ ରନ କରିଥିଲେ । ଏଥିରେ ୩୪ ଚୌକା ଓ ୯ ଛକା ସାମିଲ । ସେ ୩୯୩ ବଲରେ ୩୦୦ ରନ କରିଥିଲେ ।

ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଇଂଲଣ୍ଡ ବିପକ୍ଷରେ ୫୮୨ ବଲରେ ୪୦୦ ରନ ଅବିସ୍ମରଣୀୟ ଇନିଂସ ଖେଳିଥିଲେ । ସେ ତାଙ୍କ ଇନିଂସରେ ୪୩ ଚୌକା ଓ ୪ ଛକା ମାରିଥିଲେ । ସେ ୪୦୪ ବଲରେ ତ୍ରିଶତକ ପୂରଣ କରିଥିଲେ । ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜର ପୂର୍ବତନ ଷ୍ଟାର ଖେଳାଳି ଲରେନ୍ସ ରୋୱେ ୪୩୦ ବଲରେ ଏବଂ ପାକିସ୍ତାନର ଇଞ୍ଜାମାମ ଉଲ ହକ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୩୬ ବଲରେ ତ୍ରିଶତକ ହାସଲ କରିଥିଲେ ।

Leave A Reply

Your email address will not be published.