Latest Odisha News

ସାବଧାନ୍ ଆର ସପ୍ତାହରେ ବାତ୍ୟା!

ଭୁବନେଶ୍ବର: ଅକ୍ଟୋ୍ବରରେ ପୁଣି ବାତ୍ୟା ଭୟ ! ମହାବାତ୍ୟା, ଫାଇଲିନ୍, ହୁଡହୁଡ ପରେ ପୁଣି ଡରାଇଲାଣି ଅକ୍ଟୋବର !  ଓଡିଶାରେ ବାତ୍ୟା ଆଶଙ୍କା ! ବାତ୍ୟା ନେଇ ଅନ୍ତର୍ଜାତୀୟ ପାଣିପାଗ ମଡେଲରେ ଆକଳନ କରାଯାଇଛି। ଏପର୍ଯ୍ୟନ୍ତ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ୨୨ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଲଘୁଚାପ। ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ ବୋଲି ଆକଳନ କରିଛି ଆଇଏମଡି ।

ଓଡିଶା ଆସିବ ବାତ୍ୟା !

ଆଇଏମଡି-ଜିଏଫଏସ ମଡେଲ୍ ଅନୁସାରେ ଅକ୍ଟୋବର ୨୧ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ୨୪ତାରିଖ ବେଳକୁ ଓଡିଶା ଉପକୂଳକୁ ମୁହାଁଇପାରେ । ସମୁଦ୍ରରେ ଥିବା ବେଳେ ବାତ୍ୟା ରୂପ ନେଲେ ବି ଓଡିଶା ଉପକୂଳ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇଯିବ । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏନସିୟୁଏମ୍ ମଡେଲ ଅନୁସାରେ ଗଲଫ ଅଫ୍ ଥାଇଲାଣ୍ଡରୁ ଉତ୍ତର ଆଣ୍ଡାମାନ ସାଗର ମଧ୍ୟରେ ଅକ୍ଟୋବର ୨୪ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୫ତାରିଖରେ ଏହା ଲଘୁଚାପ ଓ ୨୬ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ସେହିପରି ଏନସିଇପି-ଜିଏଫଏସ ମଡେଲରେ ଅକ୍ଟୋବର ୨୧ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ଏହା ଅଧିକ ଘନୀଭୂତ ହୋଇ ୨୨ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ଉତ୍ତର ଦିଗରେ ଗତି କରି ଏହା ବାଙ୍ଗଲାଦେଶ ଉପକୂଳରେ ୨୩ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି ।

ଦକ୍ଷିଣରେ ଅବପାତ

ଅବପାତ ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଥିଲା । ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପୁଡୁଚେରୀରୁ ନେଲୋର ମଧ୍ୟରେ ଗୁରୁବାର ଅବପାତ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହୋଇ ଓ୍ବେଲ୍ ମାର୍କ ଲୋ ପ୍ରେସରର ରୂପ ନେଇଛି । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଦକ୍ଷିଣ ଭାରତରେ ଲଗାଣ ବର୍ଷା ଜାରି ରହିଛି।

କାହିଁକି ଅକ୍ଟୋବରରେ ଆସେ ବାତ୍ୟା?

ମହାବାତ୍ୟା ହେଉ କି ଫାଇଲିନ୍ ଓ ହୁଡହୁଡ, ଅକ୍ଟୋବର ମାସରେ ଓଡିଶାକୁ ରହିଛି ବାତ୍ୟା ଭୟ । ଅକ୍ଟୋବରରେ ଫେରିଯାଏ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସେହି ସମୟରେ ସମୁଦ୍ରର ଉପରଭାଗର ତାପମାତ୍ରା ଅଧିକ ରହିଥାଏ। ସମୁଦ୍ର ଅଞ୍ଚଳରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶୀ ହୋଇଥାଏ । ତେଣୁ ଝଡ଼ ସୃଷ୍ଟି ହେବା ସହ ଅଶାନ୍ତ ହୋଇପଡେ ସମୁଦ୍ର। ଯାହା ଘନୀଭୂତ ହେବା ସହ ବାତ୍ୟାର ରୂପ ନିଏ । ବାତ୍ୟା ପାଇଁ ବଙ୍ଗୋପସାଗରେ ଅନୁକୂଳ ସ୍ଥିତି ଥିବା ବେଳେ ଆସନ୍ତା ସପ୍ତାହ ବେଳକୁ ଓଡିଶା ଆଡକୁ ମୁହାଁଇବ କି ବାତ୍ୟା?

Leave A Reply

Your email address will not be published.