Latest Odisha News

BREAKING NEWS

ପରିବାର ଖାତାରେ ଟିକେଟ୍

ନୂଆଦିଲ୍ଲୀ: କେଉଁଠି ବାପାଙ୍କ ଜାଗାରେ ଝିଅ, ବୋହୂ ତ କେଉଁଠି ସ୍ବାମୀଙ୍କ ଗଡ଼ରେ ସ୍ତ୍ରୀଙ୍କୁ ଟିକେଟ୍ । ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ ପରେ ଖାଲି ପଡିଥିବା ସିଟରେ ଉପନିର୍ବାଚନ । ପରିବାରରୁ ହିଁ ରାଜନୀତିର ଉତ୍ତରାଧିକାରୀ ବାଛୁଛନ୍ତି ଦଳ । ବିହାରରେ ଜୀତନରାମ ମାଞ୍ଝୀଙ୍କ ବୋହୂ ତ ଝାଡ଼ଖଣ୍ଡରେ ମଧୁ କୋଡା ଓ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବିଭିନ୍ନ ରାଜନୈତିକ ଦଳର ଟିକେଟ୍ ତାଲିକାରେ ଦେଖିବାକୁ ମିଳୁଛି ପରିବାରବାଦର ସ୍ପଷ୍ଟ ଝଲକ । ନେତାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ୍ ଦେଇ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ ସମରସଜ୍ଜା କରିଛନ୍ତି ଦଳ ।

ଝାଡ଼ଖଣ୍ଡରରେ ପ୍ରଥମେ ପରିବାର

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନ ଲଢିବା ନେଇ ଅନେକ ଚର୍ଚ୍ଚା ହେଉଥିଲା। ହେଲେ ଶେଷରେ ବୋହୂ ପୂର୍ଣ୍ଣିମା ସାହୁଙ୍କୁ ରଘୁବରଙ୍କ ପାରମ୍ପରିକ ସିଟ୍ ଜାମସେଦପୁର ପୂର୍ବରୁ ଟିକେଟ୍ ଦେଇଛି ବିଜେପି। ଏହି ଆସନରୁ ଅନେକ ଥର ଜିତିଛନ୍ତି ରଘୁବର, ତେବେ ଗତ ଥର ସରାୟୁ ରାୟଙ୍କଠାରୁ ହାରିଯାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡାଙ୍କୁ ପୋଟକା ବିଧାନସଭା ସିଟରୁ ଟିକେଟ୍ ଦେଇଛି ବିଜେପି। ପୋଟକା ଆସନରେ ମୁଣ୍ଡା ପରିବାରର ପ୍ରଭାବ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା କୋଡାଙ୍କୁ ଜଗନ୍ନାଥପୁରରୁ ଟିକେଟ୍ ଦେଇଛି ବିଜେପି । ଗୀତା କୋଡା ସିଂହଭୂମ ଲୋକସଭା ସିଟରୁ ନିର୍ବାଚନ ଲଢି ହାରିଥିଲେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ବିଜେପି ଟିକେଟରେ ଜମତାଡ଼ାରୁ ନିର୍ବାଚନ ଲଢିବେ । ଗତ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶିଥିଲେ । ଜେଏମଏମରୁ ବିଜେପିକୁ ଯାଇଥିବା ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ ସୋରେନଙ୍କୁ ଘଟଶିଳାରୁ ପ୍ରାର୍ଥୀ କରିଛି ବିଜେପି । ହେମନ୍ତ ସୋରେନ୍ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ । ତେବେ ପରେ ସେ ଅସନ୍ତୋଷ ଜାହିର କରି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।

ମହାରାଷ୍ଟ୍ରରେ ବି ଫ୍ୟାମିଲି ଟିକେଟ୍

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଟିକେଟ୍ ବଣ୍ଟନ ବେଳେ ବି ଦେଖିବାକୁ ମିଳିଛି ପରିବାରବାଦର ଝଲକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟାଙ୍କୁ ଟିକେଟ୍ ଦେଇଛି ବିଜେପି । ଶ୍ରୀଜୟା ପରିବାରର ପାରମ୍ପରିକ ସିଟ୍ ଭୋକରରୁ ନିର୍ବାଚନ ଲଢିବେ । ଏପର୍ଯ୍ୟନ୍ତ ଭୋକର କେବେବି ଜିତିପାରିନି ବିଜେପି । ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ଜାନ୍ ଲଗାଇବେ ଶ୍ରୀଜୟା । ସେହିପରି ଶୋଲାର ପରିବାରକୁ ବି ଦୁଇଟି ଟିକେଟ୍ ଦେଇଛି ବିଜେପି । ବାନ୍ଦ୍ରା ଓ୍ବେଷ୍ଟରୁ ଆଶିଷ ଶୋଲାର ତ ତାଙ୍କ ସାନଭାଇ ବିନୋଦ ଶୋଲାରଙ୍କୁ ମଲାଡରୁ ପ୍ରାର୍ଥୀ କରିଛି ବିଜେପି।

ବିହାରରେ ବି ପରିବାରବାଦ

୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏହାପୂର୍ବରୁ ରାଜ୍ୟର ୪ଟି ସିଟରେ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଛି। ବେଲାଗଞ୍ଜ, ଇମାମଗଞ୍ଜ, ତରାରୀ ଓ ରାମଗଡରେ ହେବାକୁ ଥିବା ଉପନିର୍ବାଚନରେ ବି ଟିକେଟ୍ ବଣ୍ଟନରେ ପରିବାରକୁ ଗୁରୁତ୍ବ ଦିଆଯାଇଛି । ବେଲାଗଞ୍ଜରେ ଆରଜେଡି ସାଂସଦ ସୁରେନ୍ଦ୍ର ଯାଦବଙ୍କ ପୁଅ ବିଶ୍ବନାଥ ସିଂହ ଯାଦବ ଲଢୁଛନ୍ତି ତ ଇମାମଗଞ୍ଜରେ ହାମ୍ ମୁଖ୍ୟ ଜୀତନରାମ ମାଞ୍ଝିଙ୍କ ବୋହୂ ଦୀପା ମାଞ୍ଝି ଗଡ଼ ରକ୍ଷା ପାଇଁ ଓହ୍ଲାଇଛନ୍ତି । ସେହିପରି ତରାରୀରେ ପୂର୍ବତନ ବିଧାୟକ ସୁନୀଲ କୁମାର ସିଂହଙ୍କ ପୁଅ ବିଶାଲ ପ୍ରଶାନ୍ତଙ୍କୁ ବିଜେପି ଟିକେଟ୍ ଦେଇଛି । ରାମଗଡ଼ରେ ବାପା ଜଗଦାନନ୍ଦ ସିଂହଙ୍କ କିଲ୍ଲା ରକ୍ଷା କରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ଅଜିତ ସିଂହ ।

Leave A Reply

Your email address will not be published.