Latest Odisha News

୨୩ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ପୁରୀ ଛାଡି ଯିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ପୁରୀ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ପୁରୀ ଛାଡ଼ିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ପୁରୀ ଛାଡ଼ି ନିଜ ନିଜ ଘରକୁ ଫେରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଆସନ୍ତାକାଲିଠୁ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନଯିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ବାତ୍ୟା ମୁକାବିଲା ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟାର ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁରୀ ସହରରୁ ଆସନ୍ତାକାଲିଠୁ ପର୍ଯ୍ୟଟକମାନଙ୍କୁ ନିଜ ନିଜ ଘରକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

ଏହା ସହିତ ବାତ୍ୟା ଆଶଙ୍କା ଦୂର ନହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନଯିବେ ସେଥିପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁମାନେ ପୁରୀରେ ରହିବେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ସେହିପରି ବର୍ତ୍ତମାନ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.