ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଢେଙ୍କାନାଳରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନେକ ପୂଜା ମଣ୍ଡପ ପରିଦର୍ଶନ କରି ସ୍ଥାନୀୟ ମହାବୀର କ୍ଲବର ପୂଜା ପେଣ୍ଡାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ। ଏହି ପୂଜା ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ପୁରାଣ ଓ ଶାସ୍ତ୍ର ମାନଙ୍କରେ ମହାଲକ୍ଷ୍ମୀଙ୍କ ମହାତ୍ମ୍ୟ ପର୍ଯ୍ୟାପ୍ତ ଭାବେ ବର୍ଣ୍ଣନା କରାଯାଇଛି। ଭାରତୀୟ ସଂସ୍କୃତି ଓ ଦର୍ଶନରେ ମହାଲକ୍ଷ୍ମୀ ହେଉଛନ୍ତି ଐଶ୍ବର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ। କେଉଁ ଆବହମାନ କାଳରୁ ମହାଲକ୍ଷ୍ମୀ ପୂଜା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ମହୋତ୍ସବର ମାନ୍ୟତା ଲାଭ କରିଛି। ଭୁବନେଶ୍ବର ସ୍ଥିତ ଉଦୟଗିରି ଗୁମ୍ଫାରେ ଗଜଲକ୍ଷ୍ମୀଙ୍କ ଚିତ୍ର ହେଉଛି ଓଡିଶାରେ ଲକ୍ଷ୍ମୀପୂଜାର ପ୍ରାଚୀନତମ ନିଦର୍ଶନ ବୋଲି ସେ କହିଥିଲେ। ଢେଙ୍କାନାଳର ସାଂସ୍କୃତିକ ଐତିହ୍ୟ ସହିତ ସ୍ୱାଧୀନତା ସଂଗ୍ରାମରେ ଢେଙ୍କାନାଳର ଅବଦାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରି ଶହୀଦ ବାଜି ରାଉତଙ୍କ ସ୍ମୃତି ଚାରଣ କରିଥିଲେ। ସେହିପରି ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଯୋରନ୍ଦାର ମହୀମା ପୀଠର ଭୂମିକା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।
ବିଂଶ ଶତାବ୍ଦୀରେ ଢେଙ୍କାନାଳର ରାଜା ସୁର ପ୍ରତାପଙ୍କ ଦ୍ବାରା ୧୯୧୬ ମସିହାରେ କୁଞ୍ଜକାନ୍ତ ମନ୍ଦିର ପ୍ରତିଷ୍ଠା ହୋଇ ବୈଷ୍ଣବଭାବ ଧାରାର ପ୍ରସାର ଘଟିବା ସହିତ ନୃତ୍ୟ, ଗୀତ, କଳା ଓ ଅଭିନୟରେ ଢେଙ୍କାନାଳବାସୀ ସୁଖ୍ୟାତି ଅର୍ଜନ କରିଥିଲେ। ବ୍ରଜ କିଶୋର ପଟ୍ଟନାୟକ ପ୍ରଥମେ ୧୯୨୩ ମସିହାରେ ଢେଙ୍କାନାଳରେ ମୃଣ୍ମୟୀ ମହାଲକ୍ଷ୍ମୀ ପୂଜାର ଆୟୋଜନ କରିଥିଲେ ଏବଂ ବୈଦିକ ବିଧିରେ ପୂଜାର୍ଚ୍ଚନା କରିବା ସହିତ ପ୍ରତି ରାତିରେ ରାସ ପରିବେଷଣ କରୁଥିଲେ। ଏହାପରେ ୧୯୨୫ ମସିହାରେ ବର୍ତ୍ତମାନର ମୀନା ବଜାର ଅଞ୍ଚଳରେ ଦ୍ବିତୀୟ ପୂଜା ଆରମ୍ଭ ହୋଇଥିଲା। ଏହିପରି ଭାବେ ୧୯୪୧ ମସିହା ବେଳକୁ ଢେଙ୍କାନାଳର ଅନେକ ଯାଗାରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ୧୯୪୩ ମସିହା ବେଳକୁ ଏହା ଏକ ସାର୍ବଜନୀନ ଏବଂ ଭାଇଚାରାର ପୂଜା ଭାବେ ମାନ୍ୟତା ଲାଭ କରିଥିଲା ବୋଲି ସେ କହିଥିଲେ। ସେ କହିଥିଲେ ଯେ, ଶାନ୍ତି ଶୃଙ୍ଖଳା, ସଦ୍ଭାବ, ମୈତ୍ରୀ, ପ୍ରିତି, ଭାତୃତ୍ବ ଓ ସୌଜନ୍ୟର ମଧୁର ସମାବେଶରେ ଢେଙ୍କାନାଳର ଲକ୍ଷ୍ମୀ ପୂଜା ଓଡିଶାର ସାଂସ୍କୃତିକ ଐତିହ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।
ଆମେ ସମସ୍ତେ ମା’ ଙ୍କ ପୂଜା ଏବଂ ଆରାଧନା କରିବା ସହିତ ନାରୀଶକ୍ତିକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡିଶାବାସୀଙ୍କ ମଙ୍ଗଳ ପାଇଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ପୂଜା କମିଟିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।
Comments are closed.