Latest Odisha News

BREAKING NEWS

କାଲି ସନ୍ଧ୍ୟାରୁ ବଦଳିବ ପାଗ, କିଛି ସ୍ଥାନରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ l ସେଥିପାଇଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ବିଭାଗ l ସେହିପରି ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ l କାଲି ସନ୍ଧ୍ୟାରୁ ବଦଳିବ ପାଗ l କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ l ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ l ସବୁ ବନ୍ଦର ପାଇଁ ୧ନଂ ବିପଦ ସଂକେତ ଜାରି ହୋଇଛି l ଆସନ୍ତା ୨୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି l

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି l ସମସ୍ତ ପ୍ରକାର ମାନବୀୟ ସୁବିଧା ଓ ରିଲିଫ ସେଣ୍ଟର ପ୍ରସ୍ତୁତ ରହିଛି l ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଇ ଦେବାର ପ୍ରସ୍ତୁତି ମଧ୍ୟ ହୋଇଛି l ୨୫୦ ରିଲିଫ ସେଣ୍ଟରର ତଦାରଖ କରାଯାଇଛି l ଗର୍ଭବତୀ ଓ ବୟସ୍କଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ l ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଓଡ୍ରାଫ ଟିମ୍‌ ମୁତୟନ ହେବ l ଆବଶ୍ୟକ ହେଲେ ହେଲିକପ୍ଟର ମୁତୟନ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l

ସୂଚନାଯୋଗ୍ୟ, ସମୁଦ୍ରରେ ବଳ ଗୋଟାଇ ଧୀରେ ଧୀରେ ବାତ୍ୟା ରୂପ ନେଉଛି ସାମୁଦ୍ରିକ ଝଡ ଦାନା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହେଉଛି l ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଏହା ଧିରେ ଧିରେ ସ୍ଥଳଭାଗ ମୁହାଁ ହେବା ସହ ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ l ପୁରୀ ରୁ ସାଗର ଦ୍ଵୀପ ଭିତରେ ଏହା ଲ୍ୟାଣ୍ଡଫଲ କରିବ l ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୧୦ କି.ମି ରହିଥିବା ବେଳେ ଝଟକା ପବନର ବେଗ ସର୍ବାଧିକ ୧୨୦ କି.ମି ଯାଏଁ ରହିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.