Latest Odisha News

ଆରମ୍ଭ ହେଲା ମୃତ୍ତିକା ୨୦୨୪, ଅଂଶଗ୍ରହଣ କରିଛନ୍ତି ୩୦୦ ରୁ ଊର୍ଦ୍ଧ୍ଵ କାରିଗର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୪’ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ  ଅରବିନ୍ଦ କୁମାର ପାଢୀ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । ଏହି ପ୍ରଦର୍ଶନୀ ୨୬ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଗୋଟିଏ ସ୍ଥାନରେ ଟେରାକୋଟା ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ କାରିଗରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ବରାନ୍ବିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧ୍ଵନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ଆୟୋଜିତ ଏହି ପ୍ରଦର୍ଶନୀ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଚଳିତ ବର୍ଷ ମୋଟ୍ ୨୭ଟି ଜିଲ୍ଲାର ୩୦୦ ରୁ ଉର୍ଦ୍ଧ୍ଵ କାରିଗର  ଅଂଶଗ୍ରହଣ କରିଛନ୍ତି । ପ୍ରାୟ ୨ କୋଟି ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୁମିତା ରଥ, ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ‘ଟେରାକୋଟା’ ହସ୍ତଶିଳ୍ପ ଓଡିଶା ସରକାରଙ୍କ ଅନୁମୋଦିତ ୫୧ ଗୋଟି ହସ୍ତଶିଳ୍ପ ମଧ୍ୟରୁ ଏକ ପ୍ରମୁଖ ହସ୍ତଶିଳ୍ପ ଅଟେ । ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩୬,୦୦୦ କାରିଗର ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ଆମ ରାଜ୍ୟରେ ୪୦ ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି । ଟେରାକୋଟା କାରିଗରଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀଗୁଡିକୁ ବିକ୍ରୟ ନିମନ୍ତେ ୨୦୦୬ ମସିହାରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ (ମୃତ୍ତିକା) ଆୟୋଜିତ ହୋଇ ଆସୁଅଛି । ଚଳିତ ବର୍ଷ ମଧ୍ୟ ଦୀପାବଳିକୁ ଦୃଷ୍ଟିରେ ରଖ୍ “ମୃଭିକା- ୨୦୨୪” ଟେରାକୋଟା ପ୍ରଦର୍ଶନୀ ୨୨ ଅକ୍ଟୋବର ରୁ ୨୯ ଅକ୍ଟୋବର, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ଆୟୋଜନ କରାଯାଇଥିଲା । ମାତ୍ର ବାତ୍ୟା ‘ଦାନା’ ପାଇଁ ଏହା ସ୍ଥଗିତ ରଖାଯାଇ ୨୬ ରୁ ୩୦ ଅକ୍ଟୋବର ଯାଏ ଆୟୋଜନ କରାଯାଇଅଛି ।

Leave A Reply

Your email address will not be published.