ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ ଯୁବ ପେସ ବୋଲର ହର୍ଷିତ ରାଣାଙ୍କୁ ଚୂଡାନ୍ତ ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ସାମିଲ କରିଛି । ପ୍ରଥମ ୨ଟି ଟେଷ୍ଟ ହାରି ଭାରତ ସିରିଜ ହାତଛଡା କରିଛି । ଏବେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଜିତିବା ଜରୁରୀ ହୋଇ ପଡିଛି । ନଭେମ୍ବର ୧ରେ ମୁମ୍ବାଇର ୱାଙ୍ଖେଡରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଘରୋଇ ପ୍ରତିଯୋଗିତାରେ ଭାରତର ଏହି ୨୨ ବର୍ଷୀୟ ଯୁବ ପେସର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ପୂର୍ବରୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଘୋଷିତ ୧୮ ଜଣିଆ ଦଳରେ ସାମିଲ କରାଯାଇଥିଲା ।
ଦିଲ୍ଲୀର ଏହି ୨୨ ବର୍ଷୀୟ ବୋଲର ଆସାମ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୫ଟି ୱିକେଟ ନେବା ସହ ୫୯ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ସେ ଜଣେ ଉପଯୋଗୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ ତାହା ଦଳକୁ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି । କ୍ରମାଗତ ଲାଇନ ଓ ଲେନ୍ଥରେ ବୋଲିଂ କରି ହର୍ଷିତ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଂଲାଦେଶ ବିପକ୍ଷ ଟି୨୦ ଟିମରେ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲେ ମଧ୍ୟ ସେ ପଦାର୍ପଣ କରିପାରି ନ ଥିଲେ । ହର୍ଷିତଙ୍କୁ ଯଦି ତୃତୀୟ ଟେଷ୍ଟରେ ଖେଳିବା ପାଇଁ ସୁଯୋଗ ମିଳିବ ଏହା ତାଙ୍କ କ୍ୟାରିୟରର ଏକ ଟର୍ଣ୍ଣିଂ ପଂଏଟ ହେବ ବୋଲି ଆଶା କରାଯାଉଛି ।
Comments are closed.