ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହିଦନଗର ଓ୍ବିନର କ୍ଲବ ଉପରକୁ ବୋମାମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଉକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଏବେ ବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସେମାନଙ୍କୁ ଖୁବ୍ ଶୀଘ୍ର ଧରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ୍ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାଜଧାନୀ ଭୁବନେଶ୍ଵରରେ ଚାରିଆଡେ ଦୀପାବଳିର ମାହୋଲ ଏବଂ ବାଣ ଫୁଟିବା ଦେଖିବାକୁ ମିଳିଥିଲା ବେଳେ ରାତି ପ୍ରାୟ ୧୦ଟା ସମୟରେ ସହିଦନଗର ୱିନର୍ସ ଆସୋସିଏସନ ପାଖରୁ ବୋମା ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଶବ୍ଦ ଶୁଣି କିଛି ଲୋକ ପ୍ରଥମେ ସେଠାରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତ ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ତେବେ ଗତ ଗୁରୁବାର ରାତିରେ ଓ୍ବିନର କ୍ଳବ ସଦସ୍ୟ ବାଣ ଫୁଟାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରାୟ ୩୦ ରୁ ୪୦ ଯୁବକ ଆସି ସେମାନଙ୍କ ସହ ଗଣ୍ଡଗୋଳ କରିଥିଲେ । ପରେ ଏହା ଥମିଯାଇଥିଲା । ହେଲେ ତାପରଦିନ ଅର୍ଥାତ୍ ଗତକାଲି ଉକ୍ତ ଘଟଣାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଓ୍ବିନର କ୍ଲବ ଉପରକୁ ୩ଟି ବୋମା ମାଡ଼ କରିବା ସହିତ କିଛି ବାଇକ ଏବଂ କାର ଭଙ୍ଗାରୁଜା କରି କ୍ଲବର ସଦସ୍ୟମାନଙ୍କୁ ଧମକ ଦେଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ତାଙ୍କୁ ପଚରାଉଚରା ଆରମ୍ଭ କରିଛି । ଏଥିସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଚଳାଇଛି ।