ଭୁବନେଶ୍ବର: ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍ଫେଡ୍ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଓମଫେଡ୍ ଦିନକୁ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆଗକୁ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରି ବିକ୍ରି କରିବ ।
ଏନେଇ ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ସେହିପରି ସମଗ୍ର ରାଜ୍ୟରେ ଓମଫେଡ୍ ଖୋଲିବ ୨୦ଟି କ୍ଷୀର ଧାରା । ବିଭିନ୍ନ ଜିଲ୍ଲାର ୨୦ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଖୋଲିବ ଏହି କ୍ଷୀର ଧାରା । ଲୋକଙ୍କ ଚାହିଦାକୁ ଦେଖି ଆଗାମୀ ଦିନରେ ଅନ୍ୟ ପଞ୍ଚାୟତରେ କ୍ଷୀର ଧାରା ଖୋଲାଯିବ । ଏହା ଦ୍ବାରା ବେଶ ଉପକୃତ ହେବେ ଚାଷୀ ।
ଏହି କ୍ଷୀର ଧାରା କେନ୍ଦ୍ରରେ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରାଯିବ । ସଂଗୃହୀତ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ନିକଟସ୍ଥ ପ୍ଲାଣ୍ଟକୁ ଯିବ । ସେହିପରି ସେହିଠାରେ ଓମଫେଡ୍ ର ସମସ୍ତ ପ୍ରକାର ଉତ୍ପାଦ ବିକ୍ରୟ କରାଯିବ । ଏହା ଦ୍ୱାରା ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ ବିଶେଷ ଭାବେ ଉପକୃତ ହେବେ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି ।
ଗ୍ରାମାଞ୍ଚଳ ଗ୍ରାହକଙ୍କୁ ଓମଫେଡ୍ ଉଚ୍ଚମାନର, ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ପଦାର୍ଥ ଆଦି ଯୋଗାଇ ଦେବାକୁ ପଞ୍ଚାୟତ ସ୍ତରରେ ଏହି କ୍ଷୀର ଧାରା ଖୋଲିବାକୁ ନିଷ୍ପତ୍ତି ହୋଇଛି ।