ମୁମ୍ବାଇ: ଭାରତର କ୍ରିକେଟ ଷ୍ଟାର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ଶେଟ୍ଟୀ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଆଥିୟା ଇନଷ୍ଟାଗ୍ରାମରେ ସେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଜଣାଇଛନ୍ତି । ଛୋଟ ପିଲାର ପାଦ ଶେୟାର କରି ସେ ଏହି ପୋଷ୍ଟ କରିଛନ୍ତି । ୨୦୨୫ରେ ରାହୁଲ ବାପା ହେବେ । ରାହୁଲଙ୍କ କ୍ରିକେଟ କ୍ୟାରିୟର ଏବେ ଦୋଛକିରେ ପଡିଥିବା ବେଳେ ଏହି ଖବର ତାଙ୍କ ମନୋବଳ ବଢ଼ାଇବା ବୋଲି ଆଶା କରାଯାଇଛି । ବିବାହର ୧୮ ମାସ ପରେ ଉଭୟ ଏହି ଖୁସି ଖବର ଦେଇଛନ୍ତି । ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟ ୨୩ ଜାନୁୟାରୀ ୨୦୨୩ରେ ବିବାହ କରିଥିଲେ ।
ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ହୀରୋ ଫିଲ୍ମ ମାଧ୍ୟମରେ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେ ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ପାଠ ଶେଷ କରିଥିଲେ । ତେବେ ଓଭରାଲ ତାଙ୍କ ବଲିଉଡ କ୍ୟାରିୟର ସେ ଭଳି ଉତ୍ସାହଜନକ ରହି ନାହିଁ । ଅପରପକ୍ଷରେ ରାହୁଲ ଜଣେ କ୍ରିକେଟର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ତେବେ ଏବେ ଫର୍ମ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।