Latest Odisha News

ଚାରିଆଡୁ ଫାଟିଲାଣି ଶ୍ରୀମନ୍ଦିର, ମେଘନାଦ ପାଚେରୀ ପରେ ଏବେ ଉତ୍ତର ଦ୍ବାର ଗୁମୁଟ

ପୁରୀ: ଓଡିଶାର ଐତିହ୍ୟ ତଥା ସାଢେ ୪ କୋଟି ଓଡିଆଙ୍କର ଗର୍ବ ପୁଣି ଶ୍ରୀଜଗନ୍ନାଥ ମନ୍ଦିର ଏବେ ବିପଦରେ । ମରାମତି ଏବଂ ରକ୍ଷଣାବେକ୍ଷଣା ଅଭାବରେ ଚାରିଆଡେ ଏବେ ଫାଟ ସୃଷ୍ଟି ହେଲାଣି । ପୂର୍ବରୁ ମେଘନାଦ ପାଚାରୀରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ବେଳେ ଏବେ ଉତ୍ତର ଦ୍ବାର ଗୁମୁଟିରେ ଫାଟ ସୃଷ୍ଟି ହୋଇ ମୂଷା ମାଟି ଉଗାଳିଲେଣି । ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟର ଚାଳି ପଥରରେ ଫାଟ ଦେଖାଦେଇଛି । ଏହାର ମରାମତି ନଦକରାଯିବାରୁ ତା ଭିତରେ ମୂଷା ପଶି ଗୁମୁଟ ମଝିରୁ ତଳ ପର୍ଯ୍ୟନ୍ତ ମାଟି ଗାଳି ଦେଇଛନ୍ତି । ପଥର ଗଳିବା ସ୍ଥିତିରେ ରହିଥିବା ବେଳେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବରିଷ୍ଠ ସେବାୟତ । ଝୁଲି ରହୁଥିବା ପଥରକୁ ଗ୍ରାଉଟିଂ କିମ୍ବା ଜଏଣ୍ଟ କରାଯାଉନାହିଁ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ ।

ତେବେ ଉତ୍ତର ଦ୍ବାର ଗୁମୁଟ ଉପରେ ପାର୍ଶ୍ବରେ ପାଣି ଝରୁଥିବାରୁ ଚୂନ ପ୍ଲାଷ୍ଟର ମଧ୍ୟ ଛାଡିକି ତଳେ ପଡୁଛି । ଏହାକୁ ନେଇ ଅନେକ ଭକ୍ତ ଅସନ୍ତୋଷ ପ୍ରକାଶ କରିବା ସହ ପରିକ୍ରମା ମାର୍ଗ ନିର୍ମାଣ ପାଇଁ ଯେଉଁ ଖୋଳାଖୋଳି କରାଯାଇଛି, ଏଥିପାଇଁ ମେଘନାଦ ଏବଂ ମନ୍ଦିରର ବିଭିନ୍ନ ପ୍ରାନ୍ତରେ ତାହାର କୁପ୍ରଭାବ ପଡିଛି ବୋଲି ମତ ରଖିଛନ୍ତି । ଫଳରେ ଚାରଆଡେ ଫାଟ ସୃଷ୍ଟି ହେଲାଣି ।  ତେବେ ଏହାକୁ ନେଇ ଏଏସଆଇର ଜଣେ ଅଧିକାରୀ କହିଛନ୍ତି, ବାହାର ଚାଳିରେ ଫାଟ ନେଇ ସେମାନେ ଅବଗତ ଅଛନ୍ତି । ଏହାର ସ୍ଥାୟୀ ମରାମତି କରାଯିବ । ତେବେ ରତ୍ନଭଣ୍ଡାର ମରାମତି ପରେ ସେଗୁଡିକର ମରାମତି କାର୍ଯ୍ୟ କରାଯିବ ବୋଲି ସେ ମତ ରଖିଛନ୍ତି ।

Comments are closed.