Latest Odisha News

BREAKING NEWS

ଭଦ୍ରକର ପୁରାତନ ମହାବୀର ମନ୍ଦିର; ଯେଉଁଠି ବଢିଚାଲିଛନ୍ତି ସ୍ୱୟଂ ହନୁମାନ !

ଭଦ୍ରକ: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ହେଉଛନ୍ତି ପୁରୁଷୋତ୍ତମ ଏବଂ ସେ ସତ୍ୟ, ଧର୍ମ ତଥା ସଚ୍ଚୋଟତାର ପ୍ରତୀକ । ସେହିପରି ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ହନୁମାନଜୀ ପ୍ରଭୁଙ୍କ ଗୁଣଗାନ କରି ଆଜି ଭକ୍ତଶ୍ରେଷ୍ଠ ଭାବେ ବିବେଚିତ ହେଉଛନ୍ତି । ଭକ୍ତର ଭଗବାନ କହିଲେ ଆମ ଆଖି ଆଗକୁ ହନୁମାନଜୀ ହିଁ ଆସିଥାଆନ୍ତି । ସେ ଚିରଞ୍ଜିବୀ ସେ ପ୍ରଭୁ ଭକ୍ତ ସେ ଭକ୍ତ ବତ୍ସଳ । ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଦିନ କାଟୁଥିବା ବେଳେ ମାତା ସୀତାଦେବୀଙ୍କୁ ଖୋଜିବାକୁ ସହଯୋଗ କରିଥିଲେ ହନୁମାନ । ଆଜି ପର୍ଯ୍ୟନ୍ତ ଶ୍ରୀହନୁମାନଜୀ ରାମନାମ ଜପରେ ନିମଗ୍ନ ରଖି ନିଜର କୋଟି କୋଟି ଭକ୍ତ ତଥା ସାଧୁସନ୍ଥମାନଙ୍କୁ କୃପା କରି ଚାଲିଛନ୍ତି । ଭଦ୍ରକ ସହର ଚରମ୍ପା ଅନ୍ତର୍ଗତ ହନୁମାନସାହିରେ ଥିବା ବହୁ ପୁରାତନ ମହାବୀର ହନୁମାନଜୀଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ସମ୍ପର୍କରେ ସେପରି କିମ୍ବଦନ୍ତୀ ମିଳିନଥିଲେ ଏଠାରେ ହନୁମାନଜୀ ଶତାବ୍ଦୀ ପୂର୍ବରୁ ଏଠାରେ ରହି ପୂଜା ପାଉଛନ୍ତି ବୋଲି କୁହାଯାଏ । ନିକଟସ୍ଥ ବରାଳପୋଖରୀ ଅଞ୍ଚଳରୁ ଅନେକ ବୌଦ୍ଧ କୀର୍ତ୍ତୀ ପ୍ରତ୍ନତତ୍ତ୍ୱବିତମାନେ ନେଇ ଓଡ଼ିଶା ସଂଗ୍ରହାଳୟରେ ରଖିଥିବା ପୂଜକ କହନ୍ତି ।

ଭଦ୍ରକ ସହରସ୍ଥିତ ଚରମ୍ପାର ହନୁମାନସାହିରେ ଅବସ୍ଥିତ ଏହି ମନ୍ଦିରରେ ମହାବୀର ହନୁମାନଜୀ ପୂଜା ପାଉଛନ୍ତି । ତିନି ପୁରଷଧରି ଏହି ମନ୍ଦିରରେ ପୂଜା ପାଉଥିବା ମହାବୀରଙ୍କ ମୂର୍ତ୍ତିର ଆକାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଦିରର ପୂଜକ ତଥା ଗ୍ରାମର ବୟସ୍କ ଗ୍ରାମବାସୀଙ୍କ କହିବାନୁଯାୟୀ ସେମାନେ ଛୋଟବେଳୁ ଦେଖି ଆସୁଛନ୍ତି ଯେ, ହନୁମାନଙ୍କ ମୂର୍ତ୍ତିର ଆକାର ତଥା ଉଚ୍ଚତା କ୍ରମେ ବଢି ବଢି ଯାଉଛି । ମନ୍ଦିରର ପୂଜକ ନରେନ୍ଦ୍ର ଶୁକ୍ଳଙ୍କ କହନ୍ତି ଯେ, ଅନେକ ବର୍ଷ ପୂର୍ବରୁ ପ୍ରଭୁଙ୍କ ମୂର୍ତ୍ତିର ଆକାର ବଢିବା ନେଇ କିଛି ଗବେଷଣାକାରୀ ଆସିଥିଲେ, ମାତ୍ର ସେମାନେ ଏହାର କାରଣ ଜାଣି ପାରିନାହାନ୍ତି । ଅନେକ ଗବେଷକ ପୂର୍ବରୁ ଏଠାକୁ ଆସିଛନ୍ତି ଏହି ମୂର୍ତ୍ତିର ଆକାର ବୃଦ୍ଧି ସମ୍ପର୍କରେ ଗବେଷଣା କରିବାକୁ । ସେମାନେ ମଧ୍ୟ ଏହାର କାରଣ ଜାଣିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି ।

ଭଦ୍ରକ ରେଲୱେ ଷ୍ଟେସନରୁ ପଶ୍ଚିମକୁ ଅଧ କିଲୋମିଟର ଯିବା ପରେ ହନୁମାନ ସାହିରେ ରହିଛି ଏହି ମନ୍ଦିର । କଥିତ ଅଛି ଏହି ଅଞ୍ଚଳ ଦିନେ ବୌଦ୍ଧ ଏବଂ ଜୈନ ତାନ୍ତ୍ରିକମାନଙ୍କର ଚରାଭୂଇଁ ଥିଲା । ଯେହେତୁ ଏଠାରୁ ଅନେକ ପୁରାତନ ବୌଦ୍ଧ କୀତ୍ତିରାଜି ଠାବ କରାଯାଇଛି ହୁଏତ ଏହା ୭ମ ଶତାବ୍ଦୀ ପୂର୍ବରୁ ଏଠାରେ ହନୁମାନଜୀ ପୂଜିତ ହେଉଛନ୍ତି ।

ଏଠାରେ ପୂଜିତ ହେଉଥିବା ହନୁମାନଜୀଙ୍କ ନିକଟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଦାଳୁମାନଙ୍କର ମନୋବାଂଛା ପୂର୍ଣ୍ଣ ହୋଇଥାଏ । ଭଦ୍ରକର କିଛି ବଦାନ୍ୟ ବ୍ୟକ୍ତିମାନଙ୍କର ମିଳିତ ସହଯୋଗରେ ଏବେ ଏକ ସୁଦୃଶ୍ୟ ମନ୍ଦିର ନିର୍ମିତ ହେବା ସହିତ ପୁରାତନ ପୋଖରୀ ମଧ୍ୟ ଅଛି । ଏହି ମନ୍ଦିରରେ ବର୍ଷର ପ୍ରାୟ ଅଧିକାଂଶ ସମୟରେ ପୂଜା ଉତ୍ସବ ଅନୁଷ୍ଠିତ ହେଉଥିବା ସହିତ ପ୍ରତ୍ୟେକ ମଙ୍ଗଳବାର ଦିନ ବିଶେଷ ପୂଜା ହୋଇଥାଏ । ଭକ୍ତମାନେ ମଙ୍ଗଳବାର ଏବଂ ଶନିବାର ଦିନ ଅଧିକ ସଂଖ୍ୟାରେ ଏଠାରେ ସମାଗମ ହୋଇଥାଆନ୍ତି ।

ଏହି ଗ୍ରାମର ଜଣେ ବୟସ୍କା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେ ୧୦ ବର୍ଷ ବୟସରେ ଯେତିକି ଉଚ୍ଚତାର ଥିଲେ ଏବେ ୭୦ ବର୍ଷ ବୟସରେ ଦେଖନ୍ତି ହନୁମାନଜୀଙ୍କ ଉଚ୍ଚତା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ଏବେ ହନୁମାନଜୀଙ୍କ ଉଚ୍ଚତା ୫ ଫୁଟ ଏବଂ ଓସାର ୩ ଫୁଟ । ତାଙ୍କର ଡ଼ାହାଣ ହାତରେ ରହିଛି ପାହାଡ଼ ଏବଂ ବାମ ହସ୍ତ ତଳକୁ ଝୁଲି ରହିଛି । ମନ୍ଦିରରେ ପୂଜା କରିବାକୁ ପାଳିକରି ପୂଜକମାନେ ଦୈନନ୍ଦିନ ପୂଜାଅର୍ଚ୍ଚନା କରିଥାଆନ୍ତି । ଭକ୍ତମାନେ ମନ୍ଦିରରେ ଦୈନିକ ବସି ହନୁମାନ ଚାଳିଶା ପାଠ କରିଥାଆନ୍ତି । ଏହି ମନ୍ଦିର ମଧ୍ୟରେ ମହାଦେବ ଶିବ ମଧ୍ୟ ପୂଜା ପାଉଛନ୍ତି ।

ବର୍ତ୍ତମାନର ପୂଜକ ନରେନ୍ଦ୍ର ଶୁକ୍ଳ କହନ୍ତି, ବହୁ ଶ୍ରଦ୍ଧାଳୁ ସେମାନଙ୍କର ମନୋସ୍କାମନା ପୂର୍ଣ୍ଣ ସକାଶେ ଏଠାରେ ପୂଜା ଆରାଧନା କରି ସଫଳ ହୋଇଛନ୍ତି । ମହାବୀର ହନୁମାନଙ୍କୁ ଏଠାରେ ପୂଜା କରି ଅନେକଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଛି । ମନ୍ଦିର ପୂଜକ ନରେନ୍ଦ୍ର ଶୁକ୍ଳଙ୍କ କହିବାନୁଯାୟୀ ଜନୈକା ବୃଦ୍ଧା ଏକ ଅନୁଭୂତି ସମ୍ପର୍କରେ କହିଥିଲେ । ଜନୈକା ମାଲ୍ୟାଣୀ ସନ୍ଧ୍ୟା ଦେବାକୁ ମନ୍ଦିରକୁ ଆସୁଥିବା ବେଳେ ତାଙ୍କ ସାନଝିଅଟି ମନ୍ଦିର ଯିବାକୁ ଅଝଟ କଲା । ମାଆ ରାଗରେ ଝିଅକୁ କହିଲା, ତୁ ମୋ କଥା ମାନୁନୁ ତାହାହେଲେ ଆଜି ତୋତେ ହନୁମାନଙ୍କୁ ଦେଇଦେବି । ମାଆ ସନ୍ଧ୍ୟାଦେଇ ଫେରିବା ପରେ ଝିଅଟି ନଫେରିବାରୁ ସେ ମନ୍ଦିର ଆସି ଦେଖନ୍ତି ଝିଅଟି ହନୁମାନଜୀଙ୍କ ନିକଟରେ ପଡ଼ି ରହିଛି । ଏହିପରି ଅନେକ ଜନଶ୍ରୁତି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଥାଏ ।

କୁହାଯାଏ ପୂର୍ବରୁ ଏଠାରେ ଚମ୍ପକ ନଗରର ରାଜା ରାଜୁତି କରୁଥିଲେ । ସେହି ରାଜାଙ୍କ ଆରାଧ୍ୟ ଦେବତା ଥିଲେ ହନୁମାନସାହିସ୍ଥିତ ମହାବୀର । ଏହି ମନ୍ଦିରର ରହିଛି ପ୍ରାୟ ୧୦ ଏକର ଜମି । ମନ୍ଦିର ଲାଗି ବିଭିନ୍ନ ପ୍ରକାରର ସେବା କରୁଥିବା ସେବାୟତମାନେ ଉକ୍ତ ଜମି ଭୋଗ ଦଖଲ କରୁଛନ୍ତି । ପ୍ରତିଦିନ ସକାଳେ ବାଲ୍ୟ ଭୋଗ ପରେ ସନ୍ଧ୍ୟାରେ ଆଳତୀ ଭୋଗ କରାଯାଇଥାଏ । ମଙ୍ଗଳବାର ଦିନ ମାନସିକ ଅନ୍ନଭୋଗ ଠାକୁରଙ୍କ ନିକଟରେ ଅନୁଷ୍ଠିତ ହୋଇଥାଏ ।

ଦୈନିକ ଯେଉଁ ଭକ୍ତମାନେ ଏଠାକୁ ଆସି ଠାକୁରଙ୍କୁ ଦାନ ଦକ୍ଷିଣା ଦେଇଥାଆନ୍ତି ସେହିଥିରେ ହିଁ ପୂଜକମାନେ ସେମାନଙ୍କ ସ୍ୱଳ୍ପ ପାରିଶ୍ରମିକ ନେଇଥାଆନ୍ତି । ଠାକୁରଙ୍କ ପୂଜାର୍ଚ୍ଚନା ନିମନ୍ତେ ଅନେକ ବ୍ରାହ୍ମଣ ପୂଜକଙ୍କ ସମେତ ସେବାକାର୍ଯ୍ୟ ଲାଗି କିଛି ସେବାକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ମନ୍ଦିର ପୂଜକ ନରେନ୍ଦ୍ର ଶୁକ୍ଳଙ୍କ କହିବାନୁଯାୟୀ, ସରକାରଙ୍କ ପକ୍ଷରୁ ପୂଜକମାନଙ୍କ ନିମନ୍ତେ ଏପର୍ଯ୍ୟନ୍ତ କୌଣସି ସହଯୋଗ ମିଳିପାରିନାହିଁ । ଶ୍ରଦ୍ଧାଳୁମାନଙ୍କ ଦାନ ଦକ୍ଷିଣାରେ ଚଳିବା କଷ୍ଟକର ହୋଇପଡୁଛି । ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ କୌଣସି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ପୂଜକ ନରେନ୍ଦ୍ର ।

Leave A Reply

Your email address will not be published.