Latest Odisha News

‘ଯେଉଁମାନଙ୍କୁ କେହି ପଚାରନ୍ତି ନାହିଁ ମୋଦି ସେମାନଙ୍କୁ ପୂଜା କରେ’

ଭୁବନେଶ୍ବର: ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳୁଛି ସାରା ଦେଶ । ତାଙ୍କର ତ୍ୟାଗ ଓ ବଳିଦାନକୁ ମନେପକାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିହାରର ଜମୁଇ ଠାରେ ଜନଜାତି ଗୌରବ ଦିବସରେ ଆଦିବାସୀଙ୍କ ବିକାଶ ପାଇଁ ଆଜି ୬୬ ହଜାର କୋଟିର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିସହିତ ବିଭିନ୍ନ ଆଦିବାସୀ ଯୋଜନା ଘୋଷଣା କରିବା ସହ ସେଠିକା ଜନସଭାକୁ ସମ୍ବୋଧିତ କରିଛନ୍ତି । ଆଦିବାସୀଙ୍କ ପାଇଁ ସ୍କୁଲ, ହଷ୍ଟେଲ, ସ୍ବାସ୍ଥ୍ୟ ସୁବିଧା ଆଦି ସହିତ ଆଦିବାସୀ ପରିବାର ପାଇଁ ଦେଢ଼ ଲକ୍ଷ ଆବାସର ସ୍ବୀକୃତିପତ୍ର ଭେଟି ଦେଇଛନ୍ତି ମୋଦି ।

ଏଥିସହିତ ମୋଦି କହିଛନ୍ତି, ସ୍ବାଧୀନତା ଆନ୍ଦୋଳନରେ ଆଦିବାସୀଙ୍କ ବଳିଷ୍ଠ ଯୋଗଦାନ ରହିଛି । ସ୍ବାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା କରାଯାଇଛି । ଆଦିବାସୀଙ୍କୁ ଅବହେଳା ପଛରେ ରାଜନୈତିକ ଅଭିସନ୍ଧି ରହିଥିଲା । ଏହାର କାରଣ ଗୋଟିଏ ପରିବାରର ରାଜନୈତିକ ଅଭିସନ୍ଧି ବୋଲି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି । କିନ୍ତୁ ଏନଡିଏ ସରକାର ଅନନ୍ୟ ବୋଲି କହିଛନ୍ତି ମୋଦି ।

ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜନଜାତି ମନ୍ତ୍ରାଳୟ ହେଲା । ୧୦ ବର୍ଷ ପୂର୍ବେ ଆଦିବାସୀ ପରିବାର ପାଇଁ ବଜେଟ ଥିଲା ୨୫ ହଜାର କୋଟିରୁ କମ୍ । ଆମ ସରକାରରେ ଏବେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ବଜେଟ ୧.୨୫ଲକ୍ଷ କୋଟି ଛୁଇଁଛି, ଯାହା ୫ ଗୁଣା ଅଧିକ । ଦ୍ରୌପଦି ମୁର୍ମୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇଛନ୍ତି ।  ଶ୍ରୀମତୀ ମୁର୍ମୁଙ୍କ ପାଇଁ ଏବେ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, କିଛି ଦିନ ତଳେ ଦେଶରେ ୬୦ ହଜାର ଆଦିବାସୀ ଗାଁର ବିକାଶ ପାଇଁ ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ସ ଯୋଜନା ଆରମ୍ଭ ହୋଇଛି । ଏଥିରେ ୮୦ ହଜାର କୋଟି ଖର୍ଚ୍ଚ ହେବ । ଏଥିରେ ସମସ୍ତଙ୍କୁ ମୌଳିକ ସୁବିଧା ଓ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯେଉଁମାନଙ୍କୁ କେହି ପଚାରନ୍ତି ନାହିଁ ମୋଦି ସେମାନଙ୍କୁ ପୂଜା କରେ । ଆଦିବାସୀଙ୍କ ବିକାଶ ପାଇଁ ଏନ୍‌ଡିଏ ସରକାର ଅହ ରହ ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.