Latest Odisha News

ଭଦ୍ରକ ବନ୍ଧଗାଁ ପୂର୍ବତନ ସରପଞ୍ଚ ହତ୍ୟା ଘଟଣା: ୪ ଗିରଫ

ଭଦ୍ରକ: ଜିଲ୍ଲା ବନ୍ଧଗାଁ ପଞ୍ଚାୟତର ବହୁ ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ହତ୍ୟା ଘଟଣାର ୯ ଦିନ ପରେ ଆଜି ପର୍ଦ୍ଦାଫାସ୍‌ କରିଛି ପୋଲିସ । ବ୍ୟବସାୟିକ ଶତୃତାକୁ ନେଇ ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସେମାନେ ହେଲେ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତ ବିଦ୍ୟୁତ ସାହୁ, ସହଯୋଗୀ ସରୋଜ କୁମାର ସାହୁ, ପ୍ରଶାନ୍ତ ରାଉତ ଓ ବାଦଲ ସାମଲ । ୩ ଜଣ ସୁପାରି କିଲରଙ୍କ ଦ୍ବାରା ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଚିତ୍ତରଞ୍ଜନଙ୍କ ଯୋଗୁ ବିଦ୍ୟୁତ ସାହୁଙ୍କର ଧାନ, ରଡ଼ ଓ ସିମେଣ୍ଟ ବ୍ୟବସାୟରେ ଲଗାତାର ଭାବେ କ୍ଷତି ହେଉଥିଲା । ଏହି କାରଣରୁ ଅଭିଯୁକ୍ତ ବିଦ୍ୟୁତ ସାହୁ ଚିତ୍ତରଞ୍ଜନଙ୍କୁ ଜୀବନରୁ ମାରି ଦେବାକୁ ୨ ଲକ୍ଷ ୫୦ ହଜାର ଟଙ୍କାର ସୁପାରି ଦେଇଥିଲେ ।

ଗତ ୧୨ ତାରିଖ ରାତିରେ ଚିତ୍ତରଞ୍ଜନ ଚରମ୍ପାରୁ ନିଶାସକ୍ତ ଅବସ୍ଥାରେ ମୋଟରସାଇକେଲରେ ଘରକୁ ଫେରୁଥିବାବେଳେ, ଅଭିଯୁକ୍ତ ସରୋଜ, ପ୍ରଶାନ୍ତ ଓ ବାଦଲ ତାଙ୍କୁ ରାସ୍ତାରେ ଅଟକାଇଥିଲେ । ପରେ ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ତାଙ୍କ ପଛ ପଟକୁ ଆଘାତ ଦେବାରୁ ତଳେ ପଡ଼ିଯିବାରୁ ତାଙ୍କ ଶରୀରକୁ ଛୁରୀରେ ଆଘାତ କରିଥିଲେ । ଘଟଣାସ୍ଥଳରେ ଚିତ୍ତରଞ୍ଜନଙ୍କର ମୃତ୍ୟୁ ହୋଇଯିବାରୁ ମୃତଦେହକୁ ନେଇ ବିଲରେ ଫିଙ୍ଗି ଦେବାପରେ ଚିତ୍ତରଞ୍ଜନଙ୍କ ମୋଟରସାଇକେଲ ଗାଁ ନିକଟରେ ଥିବା ପୋଖରୀକୁ ଠେଲି ଦେଇଥିଲେ ।

ପରେ ପରେ ମାରଣାସ୍ତ୍ର, ଚିତ୍ତରଞ୍ଜନଙ୍କ ମୋବାଇଲ, ଚପଲକୁ ଝାଟିଆ ଗାଁ ନିକଟ କେନାଲ ପାଖରେ ଥିବା ବାଉଁଶ ବୁଦାରେ ଲୁଚାଇଦେଇ ଫେରାର୍‌ ହୋଇଯାଇଥିଲେ । ଏହି ହତ୍ୟାକାଣ୍ଡ ପାଇଁ ଅଗ୍ରିମ ଭାବେ ୪୦ ହଜାର ଟଙ୍କା ବିଦ୍ୟୁତ ସୁପାରି କିଲର ମାନଙ୍କୁ ଦେଇଥିବାବେଳେ, ବାକି ୨ ଲକ୍ଷ ୧୦ ହଜାର ଟଙ୍କା ହତ୍ୟାକାଣ୍ଡ ପରେ ଦେବାକୁ ସ୍ଥିର କରିଥିଲେ ।

ଏହି ହତ୍ୟାକାଣ୍ଡ କୌଣସି ରାଜନୈତିକ ନୁହେଁ ବରଂ ବ୍ୟବସାୟ ପାଇଁ ଘଟିଥିଲା ବୋଲି ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡ଼ିଆଇଜି ସତ୍ୟଜୀତ୍‌ ନାଏକ, ଭଦ୍ରକ ଏସ୍‌ପି ମଡ଼କର ସନ୍ଦିପ ସମ୍ପଦ, ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ ।

Leave A Reply

Your email address will not be published.