ଭୁବନେଶ୍ୱର: ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ପ୍ରତି ବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି । ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି । ତେଣୁ ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ୍ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଏହା ସହିତ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ । ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।