ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି-ଆଇଜି ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀମାନେ ସାମିଲ ହେବେ । ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରାଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିଠାରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି କରାଯାଇଛି । ଭିଭିଆଇପିଙ୍କ ଗସ୍ତ ପାଇଁ ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ଜି ଛକ, ରାଜଭବନ ଛକ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ସମ୍ପୁର୍ଣ୍ଣ ମନା କରାଯାଇଛି । ସେହିପରି ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର ରୁ ନାଲକୋ ଛକ ମନା କରାଯାଇଛି । ତେବେ ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେହିଦିନ ସେହି ସମୟ ପାଇଁ ଏହି କଟକଣା ଉକ୍ତ ସ୍ଥାନରେ ବଳବତ୍ତର ରହିବ ।
ସେହିଭଳି ମୋ ବସ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବ । ବିଭିନ୍ନ ରୁଟରେ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଇଛି । ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ ।
ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଭୁବନେଶ୍ୱର ଗସ୍ତରେ ଆସିବେ। ସେପଟେ ଏହାକୁ ନେଇ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁର ଏକ ଭିଡିଓ ଜାରି କରି ଧମକ ଦେଇଛି। ଯାହାପରେ କମିଶନରେଟ ପୋଲିସ ଭୁବନେଶ୍ଵରରେ ହାଇ ଆଲର୍ଟ ଜାରି କରିଛି । ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ୭୦ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସଂସ୍ଥା ଆଧାରରେ ତଥ୍ୟ ସଂଗ୍ରହ କରାଯାଉଛି । ସେପଟେ ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ସୁରକ୍ଷା ବଳୟ ଭେଦିବାକୁ ଉଦ୍ୟମ କରିବ ତା’ର ଅସ୍ଥିତ୍ବ ରଖିବୁନି ବୋଲି କହିଛନ୍ତ ପୋଲିସ କମିଶନର ।