Latest Odisha News

BREAKING NEWS

୬ ତାରିଖ ଯାଏଁ କୋହଲା ପାଗ, ଆଉ ଦୁଇ ଦିନ ହାଲୁକା ବର୍ଷିବ

ଭୁବନେଶ୍ବର: ତାମିଲନାଡୁ ମୁହାଁଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟରେ କୋହଲା ପାଗ ଅନୁଭୂତ ହେଉଛି । ବଙ୍ଗୋପସାଗରରୁ ରାଜ୍ୟକୁ ପବନ ବହୁଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଆଜି ମଧ୍ୟ ସମାନ ସ୍ଥିତି ବଜାୟ ରହିବ । ବାତ୍ୟା ଫେଙ୍ଗଲ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ପ୍ରଭାବରେ ଆହୁରି ଦୁଇ ଦିନ କାଭାଁ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ଉପକୂଳ  ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଜଗତସିଂହପୁର,  କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣ ବର୍ଷା ସମ୍ଭାବନା ଅଛି । ଆଗାମୀ ୪ ଦିନ ଯାଏ ରାଜ୍ୟରେ  ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି ।

ସେହିପରି ଆସନ୍ତା ୬  ତାରିଖ ଯାଏ ପାଗ କୋହଲା ରହିବ । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ସକାଳ ଓ ସନ୍ଧ୍ୟା ସମୟରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଅନ୍ୟପଟରେ ଗତ ୨୪ ଘଣ୍ଟାରେ ଗଞ୍ଜାମର ଚିକିଟିରେ ସର୍ବାଧିକ ୪୬ ମିମି ବର୍ଷା  ହୋଇଛି । କେନ୍ଦୁଝର ଚମ୍ପୁଆରେ ୨୦.୮, ଦେବଗଡ଼ ରିଆମାଳରେ ୧୮  ମିମି, କନ୍ଧମାଳ କଳିଙ୍ଗାରେ ୧୮, ମୟୂରଭଞ୍ଜ ଯଶିପୁରରେ ୧୭.୨, ଗଞ୍ଜାମର  ଛତ୍ରପୁରରେ ୧୬.୬, କେନ୍ଦୁଝର ଯୋଡ଼ା ଓ ଗଞ୍ଜାମରେ ୧୫.୪, ସମ୍ବଲପୁର  ଯୁଯୁମରାରେ ୧୫.୩, ଆଠମଲ୍ଲିକରେ ୧୫.୨, ହିନ୍ଦୋଳ ଓ ଛେଣ୍ଡିପଦାରେ  ୧୪.୨ ମିମି ବର୍ଷା ରେକର୍ଡ ହୋଇଛି ।

Comments are closed.