ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏବେ ଧିରେ ଧିରେ ବଦଳୁଛି କି ଟ୍ରମ୍ପଙ୍କ ଅନ୍ଦାଜ୍ ? ଟ୍ରମ୍ପଙ୍କ ବିଜୟ ଯେଉଁଠି ଭାରତ ପାଇଁ ଅନେକ କିଛି ଶୁଭଙ୍କର ଆଣିଦେବ ବୋଲି ଆଶା କରାଯାଉଥିଲା ସେଠି ଟ୍ରମ୍ପଙ୍କ ନିଷ୍ପତ୍ତି ଏବେ ଭାରତର ଚିନ୍ତା ବଢାଇଲାଣି ।
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ବ୍ରିକ୍ସ ଦେଶମାନଙ୍କୁ ଧମକ ଦେଇ କହିଛନ୍ତି ଯେ ଯଦି ବ୍ରିକ୍ସ ଦେଶରେ ଅନ୍ତର୍ଭୁକ୍ତ ଥିବର ୯ ଦେଶ ଆମେରିକୀୟ ଡଲାରକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି, ତେବେ ସେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ । ଯାହା ଏବେ ବ୍ରିକ୍ସ ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ ଦେଶ ଯଥା ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ସଂଯୁକ୍ତ ଆରବ ପାଇଁ ଏବେ ଚିନ୍ତାର କାରଣ ହୋଇଛି ।
ଏନେଇ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ବ୍ରିକ୍ସ ଦେଶଗୁଡିକରୁ ଆମକୁ ଏକ ପ୍ରତିବଦ୍ଧତା ଆବଶ୍ୟକ । ସେମାନେ ନୂତନ ବ୍ରିକ୍ସ ମୁଦ୍ରା ସୃଷ୍ଟି କରିବେ ନାହିଁ କିମ୍ବା ଶକ୍ତିଶାଳୀ ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରିବେ ନାହିଁ । ଯଦି ଏପରି କରନ୍ତି ସେମାନେ ୧୦୦ ପ୍ରତିଶତ ଶୁଳ୍କର ସମ୍ମୁଖୀନ ହେବେ। ବ୍ରିକ୍ସ ଅନ୍ତର୍ଜାତୀୟ ବାଣିଜ୍ୟରେ ଆମେରିକୀୟ ଡଲାରକୁ ବଦଳାଇବା କିମ୍ବା କୌଣସି ଦେଶ ଯିଏ ଏପରି କରିବା ପାଇଁ ଚେଷ୍ଟା କରିବ ତା ସହିତ ଆମେରିକା ସମ୍ପର୍କ ଛିନ୍ନ କରିବ।
ଯାହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ମୁଁ ଭାବୁଛି ଏନେଇ କିଛି ଦ୍ୱନ୍ଦ୍ୱ ରହିଛନ୍ତି ଟ୍ରମ୍ପ । କାରଣ ଭାରତ ଡଲାରକୁ ସକ୍ରିୟ ଭାବରେ କେବେବି ଟାର୍ଗେଟ କରିନାହିଁ । ଭାରତର ଅର୍ଥନୈତିକ ନୀତି, ରାଜନୈତିକ କିମ୍ବା ରଣନୀତିର ଏହା କେବେ ବି ଅଂଶ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ୨୦୨୩ ଶିଖର ସମ୍ମିଳନୀରେ ବ୍ରିକ୍ସ ଦେଶମାନେ ଏକ ନୂତନ ସାଧାରଣ ମୁଦ୍ରାର ଉପରେ ଅଧ୍ୟୟନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବ୍ରିକ୍ସର କିଛି ସଦସ୍ୟ ଦେଶ, ମୁଖ୍ୟତଃ ରୁଷ୍ ଏବଂ ଚୀନ୍, ଆମେରିକୀୟ ଡଲାରର ବିକଳ୍ପ ଖୋଜିବା ସହିତ ନିଜର ବ୍ରିକ୍ସ ମୁଦ୍ରା ସୃଷ୍ଟି କରିଥିଲେ। ତେବେ ଭାରତ ଏପର୍ଯ୍ୟନ୍ତ ଏହି ପଦକ୍ଷେପର ଅଂଶ ହୋଇନାହିଁ।
ତେବେ କହିରଖୁଛୁ, ବ୍ରିକ୍ସ ହେଉଛି ନଅ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ବ୍ୟତୀତ ଏହି ଗୋଷ୍ଠୀର ସଦସ୍ୟ ଦେଶଗୁଡ଼ିକ ହେଉଛି ଚୀନ୍, ରୁଷିଆ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ରହିଛି । ୨୦୦୯ରେ ଗଠିତ ହୋଇଥିବା ବ୍ରିକ୍ସ ହେଉଛି ଏକମାତ୍ର ପ୍ରମୁଖ ଅନ୍ତର୍ଜାତୀୟ ଗୋଷ୍ଠୀ ଯେଉଁଥିରେ ଆମେରିକା ନାହିଁ ।