ରାଉରକେଲା: ଏବେ ଆଦାନିର ଆଖି ରାଉରକେଲା ଇସ୍ପାତ କାରଖାନା ଉପରେ । ଟେନସାସ୍ଥିତ ତାଳଡିହି ଲୌହଖଣିକୁ ମେସର୍ସ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡ୍କୁ ଦିଆଯିବା ଲାଗି ଚୁକ୍ତିନାମା ହୋଇଛି । ମାତ୍ର କୌଣସି ପରୁସ୍ଥିତିରେ ଆଦାନିକୁ ତାଳଡିହି ମାଇନ୍ସରେ ପୁରାଇ ଦିଆଯିବ ନାହିଁ ବୋଲି କହି ରାଉରକେଲା ଶ୍ରମିକ ସଂଘ (ଆରଏସଏସ) ଓ ଗାଙ୍ଗପୁର ମଜଦୁର ସଂଘ (ଜିଏମଏସ) ତୀବ୍ର ବିରୋଧ କରିଛନ୍ତି । ପ୍ରତିବାଦରେ ଆସନ୍ତା 6 ତାରିଖରେ ତାଳଡିହି ଖଣି ଆଗରେ ଏକ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଉଭୟ ସଂଘ ସୂଚନା ଦେଇଛନ୍ତି ।
ସେକ୍ଟର-18 ସ୍ଥିତ ଆରଏସଏସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ୟୁନିୟନର ସମ୍ପାଦକ ପ୍ରଶାନ୍ତ ବେହେରା କହିଛନ୍ତି , ଗତ 26 ତାରିଖରେ ଆରଏସପି କର୍ତ୍ତୃପକ୍ଷ ଟେନସା ଠାରେ ଥିବା ତାଳଡିହି ଲୌହଖଣିରୁ ଲୁହାପଥର ଉତ୍ପାଦନ 2 ମିଲିୟନ ଟନ୍ରୁ 7 ମିଲିୟନ ଟନ୍କୁ ବୃଦ୍ଧି କରିବା ବାହାନାରେ ଏକ ଚୁକ୍ତି କରି ଆଦାନିକୁ ଖଣି ଦେଇଛନ୍ତି । ଏହି ଚୁକ୍ତିନାମା 25ବର୍ଷ ପାଇଁ କରାଯାଇଛି । ପ୍ରଥମେ ଖଣି ତା ପରେ ଆରଏସପିକୁ ଘରୋଇକରଣ କରିବା ଲାଗି ଏହା ଏକ ଚକ୍ରାନ୍ତ ଚାଲିଛି । ଏହି ନିଷ୍ପତ୍ତିକୁ ଆରଏସଏସ ଓ ଜିଏମଏସ କଦାପି ବରଦାସ୍ତ କରିବ ନାହିଁ । ଏହାକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ।
ଆସନ୍ତା 6 ତାରିଖରେ 2 ୟୁନିୟନ ପକ୍ଷରୁ ତାଳଡିହି ଖଣି ଆଗରେ ଧାରଣା ଦିଆଯିବ ଓ ଏହା ପରେ କେଉଁ ପ୍ରକାର ଆନ୍ଦୋଳନ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଏମଏସର ସଭାପତି ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ସାଧାରଣ ସମ୍ପାଦକ ଗୋପଳ ଦାସ କହିଛନ୍ତି । ଏହି ସାମ୍ବାଦିକ ସମ୍ନିଳନୀରେ ଆରଏସଏସ ପକ୍ଷରୁ ଅକ୍ଷୟ ଜେନା , ଆରକେ ପଣ୍ଡା , ବୀରକିଶୋର ଶେଖର ଦେଓ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବିକାଶ ବେହୁରିଆ, ମନୋଜ କିଶାନ, ପଦ୍ମାଳୟ ଧର ଓ ଜିଏମଏସ୍ ର ସୁଲେମାନା କାଉଡିଆ, ସନ୍ତୋଷ କୁଜୁର, ମାଙ୍ଗେ ଏକ୍କା, ଆନ୍ଦ୍ରେସ ଖାଖା ପ୍ରମୁଖ ଉପସ୍ଥିତ ଥିଲେ ।