Latest Odisha News

BREAKING NEWS

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାର ଦଣ୍ଡପତି ଜୟରାମଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଦଣ୍ଡପତି ଜୟରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ୨୦ ବର୍ଷରୁ କମ ୧୦୦ ମିଟରରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୫ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ଦଣ୍ଡପତି ୨୦ ବର୍ଷରୁ କମ ଏସିଆନ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ୪ ଗୁଣନ ୧୦୦ ମିଟର ରିଲେ ଟିମର ସଦସ୍ୟ ଥିଲେ ।  ମହାରାଷ୍ଟ୍ରର ଲାଉକିକ ମେଲଗୋ ରୌପ୍ୟ ଏବଂ ହର୍ଷ ରାଉତ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଓ ଡିଏସୱାଇଏସର ଆଡିଶନାଲ ସେକ୍ରେଟାରୀ ବିକେ ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପଦକ ପ୍ରଦାନ କରିଥିଲେ ।

ଜୟରାମଙ୍କ ଏହି ବିଜୟ ପରେ କ୍ରୀଡ଼ାମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ତାଙ୍କୁ କଳିଙ୍ଗ ଷ୍ଟାଡିୟମ୍ ଠାରେ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଆଗାମୀ ଦିନରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାମାନଙ୍କରେ ନିଜର ଏହି ବିଜୟଗାଥା ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । ଏଥିସହ ଜୟରାମଙ୍କ ଏହି ସ୍ୱର୍ଣ୍ଣିମ ବିଜୟ ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ଯୋଗାଇବା ସହ କ୍ରୀଡ଼ାକ୍ଷେତ୍ରରେ ନିଜର ଭବିଷ୍ୟତ ଗଠନ କରିବା ପାଇଁ ସମସ୍ତ ଯୁବ କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ମତପ୍ରକାଶ କରିଛନ୍ତି।

Comments are closed.