ଭୁବନେଶ୍ୱର: କଏଦୀଙ୍କ ପାଇଁ ଆସିଲା ଖୁସି ଖବର । କଏଦୀଙ୍କ ସଜା କୋହଳ କରିବେ ସରକାର । ରାଜ୍ୟର ୮୭ଟି ଜେଲ୍ରେ ଥିବା ୪୦୦ କଏଦୀଙ୍କ ସଜା କୋହଳ ହେବ । ଜେଲ୍ ପ୍ରତିଷ୍ଠା ଦିବସ ଅବସରରେ ଦୃଷ୍ଟିକୁ ରଖି ଜେଲ୍ ବିଭାଗ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।
ସବୁବେଳେ ଏହି କଏଦୀମାନେ ଜେଲ୍ ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବାରୁ ଏମାନଙ୍କ ସଜା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ଅରୁଣ ରାୟ ।
ସୂଚନାଯୋଗ୍ୟ, ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍ ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍ ହେବାକୁ ଯାଉଛି । ଜେଲ୍ରେ ସଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ । ସଜା କୋହଳ ହେବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଜେଲ୍ ଡିଜି ଅରୁଣ ରାୟଙ୍କ ସୂଚନା ମୁତାବକ, ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ, ୨୦୨୫ ଏପ୍ରିଲ୍ ମାସରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି କଏଦୀଙ୍କ ସଜା କୋହଳ କରାଯିବ ।