ନୂଆଦିଲ୍ଲୀ: ଆଉ ନାହାନ୍ତି ଉସ୍ତାଦ୍ ଜାକିର ହୁସେନ୍ । ମୃତ୍ୟୁ ଖବର ଗୁଜବ ଭିତରେ ସ୍ପଷ୍ଟ କରିଛନ୍ତି ପରିବାର ଲୋକେ । ପ୍ରସିଦ୍ଧ ତବଲା ବାଦକ ତବଲା ବାଦକ ଜାକିର ହୁସେନଙ୍କ ହୃଦଘାତ ଜନିତ ଜଟିଳତା ଯୋଗୁଁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।
ତେବେ ଗତ ଦୁଇ ସପ୍ତାହ ଧରି ହୁସେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା । ହେଲେ ଗତକାଲି ଯେତେବେଳେ ପ୍ରଥମେ ତାଙ୍କ ମୃତ୍ୟୁର ରିପୋର୍ଟ ପ୍ରକାଶ ପାଇଥିଲା ତାଙ୍କ ପରିବାର ଲୋକେ ଏହାକୁ ଖାରଜ କରିଦେଇଥିଲେ ଏବଂ ସେ ଜୀବିତ ଥିବା ନିଶ୍ଚିତ କରିଥିଲେ ।
କିନ୍ତୁ ଆଜି ସକାଳେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ମତ ଦେଇ, ତାଙ୍କର ପରଲୋକ ଗମନ ନେଇ ସ୍ପଷ୍ଟ କରିଛନ୍ତି । ଜାକିର ହୁସେନ୍ ପଲ୍ମନାରୀ ଫାଇବ୍ରୋସିସ୍ ରୋଗରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏଥିସହିତ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ମଧ୍ୟ ଜାକିରଙ୍କ ପରଲୋକରେ ଶୋକ ପ୍ରକାଶ କରିଛି ।
ତେବେ ତବଲାକୁ ବିଶ୍ବସ୍ତରରେ ପହଞ୍ଚାଇଥିବା ଜାକିର ହୁସେନ, ଜଣେ କିମ୍ବଦନ୍ତୀ ତବଲା ବାଦକ ଅଲ୍ଲା ରଖାଙ୍କ ବଡ଼ ପୁଅ ଥିଲେ । ହୁସେନ ତାଙ୍କ ପିତାଙ୍କ ଐତିହ୍ୟକୁ ପ୍ରତିଫଳିତ କରି ସଙ୍ଗୀତ ଜଗତରେ ଅଭୁଲା ଛାପ ଛାଡିଛନ୍ତି ।
ତେବେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ସଙ୍ଗିତଜ୍ଞ ତଥା ଜଣେ ଉତ୍କୃଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନ୍ ୩ ଥର ଗ୍ରାମୀ ଆୱାର୍ଡ ଗ୍ରହଣ କରିଛନ୍ତି । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବିସ୍ବରଣୀୟ ଅବଦାନ ରହିଛି। ୧୯୯୯ ରେ, ତାଙ୍କୁ ଆମେରିକାର ନ୍ୟାସନାଲ ଏଣ୍ଡୋମେଣ୍ଟ ଜାତୀୟ ଐତିହ୍ୟ ଫେଲୋସିପ୍ ପ୍ରଦାନ କରିଥିଲା। ଏହା ପରେ ଉସ୍ତାଦ୍ ଜାକିର ହୁସେନ୍ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଶ୍ୱ ରାଷ୍ଟ୍ରଦୂତ ଭାବରେ ମଧ୍ୟ ମାନ୍ୟତା ପାଇଥିଲେ । ତାଙ୍କ ବିୟୋଗରେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତ ଦେଇଯାଇଛି ।
ଅନ୍ୟପଟେ ଜାକିରଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୂରା ଦେଶରେ ଶୋକର ଛାହା ଖେଳିଯାଇଛି । ମନ୍ତ୍ରୀ, ସେଲିବ୍ରିଟି ଏବଂ ମନୋରଞ୍ଜନ ଜବଗର ବହୁ ବିଶିଷ୍ଟ ବ୍ୟକ୍ତିପ୍ରମୁଖ କିମ୍ବଦନ୍ତୀ ତବଲା ବାଦକ ତଥା ସଙ୍ଗୀତଜ୍ଞଙ୍କ ପ୍ରତି ସେମାନଙ୍କର ସ୍ମୃତି ଏବଂ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Comments are closed.