ଗାବା: ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ହଠାତ ଅବସର ନେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୂଆ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଯୁବ ବାହିନୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଅନୁମାନ କରାଯାଉଛି । ଯଦି ଏହା ହୁଏ ତେବେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆର ଯୁଗ ଶେଷ ହେବା ଆରମ୍ଭ ହୋଇଛି । ଟି୨୦ ବିଶ୍ୱକପ ଭାରତ ଜିତିବା ପରେ ରୋହିତ, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା କ୍ରିକେଟର ଏହି ଛୋଟ ଫର୍ମାଟରୁ ଅବସର ନେଇ ଯାଇଥିଲେ ।
ଦିନିକିଆ ଏବଂ ଟେଷ୍ଟରେ ରୋହିତଙ୍କଠାରୁ ଅନେକ ଆଶା କରାଯାଉଥିଲା । ତେବେ ଏହି ୨ଟି ଫର୍ମାଟରେ ରୋହିତ ବାହିନୀ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛନ୍ତି । ଘରେ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବେ ୩ ମ୍ୟାଚ ଟେଷ୍ଟ ସିରିଜ ହାରିବା ପରଠାରୁ ରୋହିତଙ୍କ ଉପରେ ଚାପ ପଡିବା ଆରମ୍ଭ ହୋଇଛି । ବ୍ୟକ୍ତିଗତ ବ୍ୟାଟିଂ ବିଫଳତା ଓ ଦିଶାହୀନ ନେତୃତ୍ୱ ରୋହିତଙ୍କୁ କାଠଗଡାକୁ ଟାଣି ଆଣିଛି । ବିରାଟ କୋହଲି ଖରାପ ଫର୍ମରେ ଥିଲେ ମଧ୍ୟ ତାଙ୍କର ପୂର୍ବ ରେକର୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ନିଜକୁ ଏ ପର୍ଯ୍ୟନ୍ତ ବଂଚାଇ ରଖିଛନ୍ତି ।
ଏହା ସ୍ପଷ୍ଟ ଅଷ୍ଟ୍ରେଲିଆ ସିରିଜ ପରେ ଭାରତୀୟ ଦଳରୁ କେତେକ ସିନିୟର ଖେଳାଳି ବାଦ ପଡିବେ ଏବଂ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯିବ । ଅଶ୍ୱୀନଙ୍କ ବିକଳ୍ପ ଭାବେ ୱାଶିଂଟନ ସୁନ୍ଦର ପାଦ ଥାପିବା ଆରମ୍ଭ କରିଛନ୍ତି । ସେ ଏହା ହୃଦୟଙ୍ଗମ କରିବାରୁ ଆଗୁଆ ଅବସର ନେଇ ବୁଦ୍ଧିମାନର କାମ କରିଛନ୍ତି । ଏବେ ରୋହିତ ଏବଂ ବିରାଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ରୋହିତ ଭଲ ପ୍ରଦର୍ଶନ ନ କଲେ ସୌରଭ ଗାଙ୍ଗୁଲିଙ୍କ ପରି ଦଳରୁ ବାଦ ପଡିବା ଏକପ୍ରକାର ନିଶ୍ଚିତ । ଅଧିନାୟକ ପଦ ତାଙ୍କୁ ଏ ପର୍ଯ୍ୟନ୍ତ ବଂଚାଇ ରଖିଛି ।
ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ଟି ମ୍ୟାଚ ଖେଳାଯିବାକୁ ବାକି ଅଛି । ଏଥିରେ ବିଜୟ ହାସଲ କରି ଟିମ ଇଣ୍ଡିଆ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଉଦ୍ୟମ କରିବ । ଆଉ ଯଦି ଭାରତ ଟାଇଟଲ ହାସଲ କଲେ ତେବେ ହୁଏତ ରୋହିତ ଆଉ କିଛି ଦିନ ବିନା ଚାପରେ କ୍ରିକେଟ ଖେଳିପାରିବେ । ଅନ୍ୟ ଅର୍ଥରେ ଅଶ୍ୱୀନଙ୍କ ପରେ ଏବେ ରୋହିତ,କୋହଲି, ରବୀନ୍ଦ୍ର ଜାଡେଜାଙ୍କ ଉପରେ ଚୟନ କମିଟି ତୀକ୍ଷଣ ନଜର ରଖିଛି । ନ୍ୟୁଜିଲାଣ୍ଡ ସିରିଜ ପରେ ବିସିସିଆଇ ସ୍ପଷ୍ଟ ଭାବେ ଏ ସମ୍ପର୍କରେ ସୂଚନା ଦେଇସାରିଛି । ଏବେ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ମ୍ୟାଚକୁ ସମସ୍ତଙ୍କ ଅପେକ୍ଷା ରହିଛି ।