Latest Odisha News

BREAKING NEWS

କେଜ୍ରିୱାଲଙ୍କ ପାଇଁ ଆହୁରି ବଢ଼ିଲା ଅଡୁଆ, ଏବେ କ’ଣ କରିବ ଆଦମୀ ପାର୍ଟି ?

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ପାଇଁ ଆହୁରି ବଢ଼ିଲା ଅଡୁଆ । ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ବଡ଼ ଝଟ୍‌କା । ଏବେ ପ୍ରଶ୍ନ ଉଠୁଛି କ’ଣ କରିବ ଆଦମୀ ପାର୍ଟି? ନିର୍ବାଚନ ପୂର୍ବରୁ ଅବକାରୀ ଦୁର୍ନୀତିରେ ଆହୁରି ଛନ୍ଦି ହେବେ କି ସେ ! କେଜ୍ରିୱାଲଙ୍କ ବିରୋଧରେ ମାମଲା ଚାଲୁ ପାଇଁ ଉପରାଜ୍ୟପାଳ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଥିବା ଚର୍ଚ୍ଚା ହେଉଛି । ଏହି ଖବର ଆସିବା ପରେ ବିଜେପି ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଆପ୍ କିନ୍ତୁ କହୁଛି, ଏହା କାଳେ ମିଛ ପବନ ।

ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ନିର୍ବଚନ ପୂର୍ବରୁ ଦିଲ୍ଲୀରେ ହୋଇପାରେ ବଡ଼ ଧରଣର ହଲଚଲ୍ । ଅବକାରୀ ଦୁର୍ନୀତିରେ ଆହୁରି ଛନ୍ଦି ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ । ଯଦି ଇଡି ପୁଣି ଥରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ଚାଲୁ କରେ ତେବେ ଆପ୍ ପାଇଁ ଭୟଙ୍କର ବିପର୍ଯ୍ୟୟ ଆଣିବ ନିଶ୍ଚିତ । କାରଣ ମାମଲା ଚାଲୁ ରହିଲେ ଦଳ ପାଇଁ ପ୍ରଚାର କରିବାକୁ ଆଉ କେଜ୍ରିୱାଲଙ୍କୁ ସମୟ ମିଳିବ ନାହିଁ । ବାରମ୍ୱାର କୋର୍ଟରେ ତାରିଖ ଆଟେଣ୍ଡ କରିବାକୁ ପଡ଼ିବ। ଶୁଣିବାକୁ ମିଳୁଛି ଅବକାରୀ ଦୁର୍ନୀତିରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ଚାଲୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମାମଲା ଚାଲୁ କରିବାକୁ ଉପରାଜ୍ୟପାଳ ଇଡିକୁ ଅନୁମତି ଦେଇଛନ୍ତି କି ନାହିଁ, ତାହା କାହାକୁ ଜଣାନାହିଁ । କିନ୍ତୁ ବିଜେପି ନେତାଏ ପୂରା ନିଶ୍ଚିତ କରାଇ ଦେଉଥିବା ବେଳେ ଆପ୍ ନେତାଏ କିନ୍ତୁ ବିଶ୍ବାସ କରୁନାହାନ୍ତି । ଏହା ଡାହା ମିଛ ବୋଲି କହୁଛନ୍ତି ସେମାନେ । ଯଦି ଉପରାଜ୍ୟପାଳ ଏଭଳି କିଛି ଅନୁମତି ଦେଇଛନ୍ତି, ତେବେ ତାର କପି ସର୍ବସାଧାରଣରେ ଖୁଲ୍ଲାସା କରାଯାଉ ବୋଲି ଦାବି କରିଛି ଆମ୍ ଆଦମୀ ପାର୍ଟି । ଆପ୍ ନେତା ସଞ୍ଜୟ ସିଂହ, ଏଲଜିଙ୍କ ଅନୁମତିର ପତ୍ର ଦେଖିବାକୁ ଚାହୁଁଥିବା ବେଳେ ସୌରଭ ଭରଦ୍ବାଜ କିନ୍ତୁ ଅତୀତର ଘଟଣାବଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅବକାରୀ ଦୁର୍ନୀତିରେ ଗତ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ବାରା ଗିରଫ ହୋଇଥିଲେ କେଜ୍ରିୱାଲ । ଗତ ସେପ୍ଟେମ୍ବରରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ତେବେ ଇଡି ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି କି ନାହିଁ ତାହା ଏଯାଏଁ ଜଣାପଡ଼ିନି । କିନ୍ତୁ ମାମଲା ଚାଲୁ ପାଇଁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଇଡିକୁ ଅନୁମତି ଦେଇଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.