Latest Odisha News

ସମସ୍ତଙ୍କୁ ଦରକାର ଆମ୍ବେଦକର

ନୂଆଦିଲ୍ଲୀ: ସଂସଦ ହେଉ କି ସଡ଼କ, ସବୁଠି ଆମ୍ବେଦକର ଝଡ଼। ସଂସଦରେ ସମ୍ବିଧାନକୁ ନେଇ ବିତର୍କ ହେଲା। ହେଲେ ଜନତାଙ୍କ ସାମ୍ବିଧାନିକ ଅଧିକାର, ସଂଘୀୟ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା ଓ ଆଇନରେ ରହିଥିବା ସମସ୍ୟାକୁ ନେଇ ଆଲୋଚନା ହେଲାନି, ବରଂ ଆମ୍ବେଦକରଙ୍କ ଜୟଗାନ କଲେ ରାଜନୈତିକ ଦଳ। ଭୀମରାଓ ଆମ୍ବେଦକରଙ୍କ ସମ୍ମାନ ଓ ଅପମାନକୁ ନେଇ ଉଠିଲା ପଡିଲା ସଂସଦ ପରିସର। ତେବେ ଏହା ପଛର ସବୁଠୁ ବଡ କାରଣ ହେଉଛି ଦଳିତ ଭୋଟବ୍ୟାଙ୍କ।

ବିଜେପି ବନାମ କଂଗ୍ରେସ
ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ପ୍ରାୟ 2ଘଣ୍ଟା ଧରି ଅଭିଭାଷଣ ରଖିଲେ। ଏଥିରେ ଭୀମରାଓ ଆମ୍ବେଦକରଙ୍କ ମହିମାମଣ୍ଡନ କଲେ। ତେବେ କଂଗ୍ରେସକୁ ଟାର୍ଗେଟ୍ କରି ଶାହା ଏମିତି କିଛି କହିଲେ, ଯାହାକୁ ନେଇ ବିକ୍ଷୋଭ କଲା କଂଗ୍ରେସ। ପୂର୍ବରୁ ସବୁ ନିର୍ବାଚନରେ ବିଜେପି ଯାହା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ କରୁଥିଲା ସମାନ ଫର୍ମୁଲାରେ ଶାହାଙ୍କ ଭାଷଣକୁ ବିରୋଧ କଲା ଦଳ। ସ୍ଥିତି ଏମିତି ହେଲା ଯେ, 24ଘଣ୍ଟା ମଧ୍ୟରେ ଶାହାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଲା।

ଆମ୍ବେଦକରଙ୍କୁ ନେଇ ରାଜନୀତି
ଦଳିତ ଭୋଟବ୍ୟାଙ୍କ ପାଇଁ ଏବେକାର ରାଜନୀତିରେ ଆମ୍ବେଦକରଙ୍କ ଭୂମିକା ଗୁୁରୁତ୍ବପୂର୍ଣ୍ଣ। ତେବେ ବିଜେପି ହେଉ କି କଂଗ୍ରେସ ଦଳିତଙ୍କ ବିକାଶ ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। 60ବର୍ଷର ଶାସନ ଇତିହାସରେ ନା କଂଗ୍ରେସ ଦଳିତଙ୍କ ପାଇଁ ସେଭଳି କାମ କରିଛି ନା ବିଜେପି ଦଳିତ ନେତୃତ୍ବ ବଢାଇବାକୁ ପଦକ୍ଷେପ ନେଇଛି। ଦଳିତ ନେତୃତ୍ବ ନାଁରେ ଉଭୟ ଦଳରେ ଏଭଳି ନେତା ଅଛନ୍ତି, ଯେଉଁମାନଙ୍କର କୌଣସି ଆଧାର ନାହିଁ। ତେବେ ଆମ୍ବେଦକରଙ୍କ ପ୍ରତି ସମ୍ମାନ ଦେଖାଇ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଉଭୟ ଶାସକ ଓ ବିରୋଧୀ ଦଳ ଉଦ୍ୟମ କରୁଛନ୍ତି।

ବିରୋଧ, ବିକ୍ଷୋଭ, ଆନ୍ଦୋଳନ
ଅମିତ ଶାହାଙ୍କ ବୟାନକୁ ବିରୋଧ କରି କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରୁଛି ତ ଆମ୍ବେଦକରଙ୍କ ପ୍ରତି କଂଗ୍ରେସର ଅସମ୍ନାନ କଥା କହୁଛି ବିଜେପି। ଆଗକୁ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଆମ୍ବେଦକରଙ୍କ ନାଁରେ ରାଜନୀତି ରେସରେ ଆମ ଆଦମୀ ପାର୍ଟି ବି ସାମିଲ ହୋଇଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଶାହାଙ୍କ ବୟାନକୁ ସିଧାସଳଖ ବିରୋଧ କରିଛନ୍ତି। ଖାଲି ସେତିକି ନୁହେଁ ଆମ୍ବେଦକରଙ୍କୁ ନିର୍ବାଚନୀ ପ୍ରସଙ୍ଗ ବି କରିଛି ଆପ୍। ବିଦେଶରେ ଦଳିତ ଛାତ୍ରଙ୍କ ପାଠପଢା ଖର୍ଚ୍ଚ ଆପ୍ ଉଠାଇବ ବୋଲି କେଜ୍ରିଓ୍ବାଲ ଘୋଷଣା କରିଛନ୍ତି। ସେପଟେ ଆମ୍ବେଦକରଙ୍କୁ ନେଇ ଶାହାଙ୍କ ବୟାନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି ବହୁଜନ ସମାଜ ପାର୍ଟି।

ଦିଲ୍ଲୀ ନିର୍ବାଚନରେ ଆମ୍ବେଦକର କାର୍ଡ
ଦିଲ୍ଲୀ କ୍ଷମତା ହାସଲ କରିବାକୁ ଦଳିତ ଭୋଟବ୍ୟାଙ୍କର ଗୁରୁତ୍ବ ରହିଛି। କୁହାଯାଏ, ଯେଉଁ ଦଳ ଦିଲ୍ଲୀର 13 ସଂରକ୍ଷିତ ସିଟରେ ବହୁମତ ହାସଲ କରେ, ସେ ହିଁ ଦିଲ୍ଲୀରେ ସରକାର ଗଠନ କରିବାର ସୁଯୋଗ ପାଏ। 1993ରୁ ଏହି ଫର୍ମୁଲା ଦିଲ୍ଲୀରେ ଚାଲିଆସିଛି। 1993ରେ ବିଜେପି ତ 1998, 2003 ଓ 2008ରେ କଂଗ୍ରେସ ଅଧିକ ସଂରକ୍ଷିତ ସିଟ୍ ଜିତି ସରକାର ଗଠନ କରିଥିଲେ। ପରେ ଆପ୍ ଖାତାକୁ ଯାଇଥିଲା ସଂରକ୍ଷିତ ସିଟ୍। ଶାସନ ବିରୋଧୀ ଲହରର ସାମନା କରୁଥିବା ଆପ୍ ଆମ୍ବେଦକର କାର୍ଡ ଖେଳି ଦଳିତଙ୍କ ସମର୍ଥନ ଏକାଠି କରିବାକୁ ଉଦ୍ୟମ କରୁଛି।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.