Latest Odisha News

BREAKING NEWS

ପୁଣି ବର୍ଷିବ ଅଦିନିଆ ବର୍ଷା, ମୁଣ୍ଡରେ ହାତ ଦେଲେଣି ଚାଷୀ

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଆସନ୍ତା ଦୁଇ ଦିନ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି।

ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ ଜିଲ୍ଲାକୁ ସତର୍କ ଜାରି କରିଛି ପାଣିପାଗ ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର , ପୁରୀ , ଗଞ୍ଜାମ , ଖୋର୍ଦ୍ଧା, ଗଜପତି ଏବଂ ରାୟଗଡା ଜିଲ୍ଲାରେ କାଭାଁ ବର୍ଷା ସମ୍ଭାବନା ରହିଥିବା ବେଳେ ବାଲେଶ୍ଵର, ଭଦ୍ରକ , କଟକ, ଯାଜପୁର , ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହିତ ୨୮ ଓ ୨୯ ତାରିଖ ଦୁଇ ଦିନ ପଶ୍ଚିମାଝଡ଼ ପ୍ରଭାବରେ ପଶ୍ଚିମ ଓଡିଶାରେ ବର୍ଷା ହେବ ନେଇ ପୁଣି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଅଦିନିଆ ବର୍ଷା ଚାଷୀଙ୍କ ଆଖିରେ ଲୁହ ଦେଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ବର୍ଷା ଏବେ ପୁଣି ଚାଷୀଙ୍କ ଚିନ୍ତା ଅଧିକ ବଢିଛି । ରାଜ୍ୟର ଉପକୂଳ ଅଞ୍ଚଳ ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଅଦିନିଆ ବର୍ଷା ପାଇଁ ଖରିଫ୍‌ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବାକୁ ବସିଛି। ତାହା ଏବେ ବି ପାଣିରେ ପଡିଥିବା ବେଳେ ପୁଣି ବର୍ଷା ହେଲେ କଥା ସରିଲା । କେବଳ ଧାନ ନୁହେଁ, ରବି ଫସଲ ପାଇଁ ବିଲରେ ବୁଣା ହୋଇଥିବା ମୁଗ, ବିରି ବିହନ ମଧ୍ୟ ଧୋଇ ଯାଇଛି। କେତେକ ସ୍ଥାନରେ ପନିପରିବା ଚାଷ ବି କ୍ଷତିଗ୍ରସ୍ତ ହୋଇଛି । ଅନ୍ୟ ପଟେ ସାକ୍ଷୀଗୋପାଳରେ ଜଣେ ବୃଦ୍ଧା ବିଲରେ ହସୁଥିବା ଫସଲର ବର୍ଷା ପରର ସ୍ଥିତି ଦେଖି ହିଡରେ ହିଁ ଟଳି ପଡିଛନ୍ତି । ଧାନଫସଲ ଦେଖିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଥିବା ଧାନଫସଲ ଦେଖି ୬୭ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ସେହିଠାରେ ହିଁ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ କଟକର କଣ୍ଟାପଡ଼ାରେ ସର୍ବାଧିକ ୪୫ ମି.ମି., ଜଗତସିଂହପୁରରେ ୨୭, ଗଞ୍ଜାମର ହିଞ୍ଜିଳିରେ ୨୫ , ପାତ୍ରପୁରରେ ୨୪ ଏବଂ କେନ୍ଦ୍ରାପଡ଼ାର ରାଜକନିକାରେ ୨୩ ମି.ମି. ବର୍ଷା ହୋଇଛି। ଏଥିସହିତ ରାଜ୍ୟରେ ବର୍ଷା ପ୍ରଭାବରେ ଶୀତ କମିଛି। ସେମିଳିଗୁଡ଼ାରେ ୧୦.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଛି। ଆସନ୍ତା ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.