ଶିମଲା: ଗତ ଦୁଇ ଦିନ ହେଲା ହିମାଚଳ ପ୍ରଦେଶର ଶିମଲାରେ କ୍ରମାଗତ ତୁଷାରପାତ ହୋଇଛି । ଶିମଲାର ନାରକଣ୍ଡା ଏବଂ ମନାଲିର ଅଟଳ ଟନେଲ ସମେତ ଅନେକ ପାହାଡିଆ ଅଞ୍ଚଳରେ ତୁଷାରପାତ ଜାରି ରହିଛି । ଗତକାଲି ରାତିରେ ମଧ୍ୟ ଅଟଳ ଟନେଲ ନିକଟରେ ପ୍ରବଳ ତୁଷାରପାତ ହୋଇଥିଲା। ଏପରିକି ପର୍ଯ୍ୟଟକଙ୍କ ପାଇଁ ଅଟଳ ଟନେଲ ବନ୍ଦ ରହିଛି ପ୍ରଶାସନ । ଏବେ କେବଳ ମନାଲିରେ ସୋଲାଙ୍ଗ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି ।
ତୁଷାରପାତ ହେତୁ ତିନୋଟି ଜାତୀୟ ରାଜପଥ ସମେତ ରାଜ୍ୟରେ ୨୩୩ ଟି ରାସ୍ତା ବନ୍ଦ ରହିଛି। ରାଜ୍ୟର କିନ୍ନୌର, ଲାହୌଲ ଏବଂ ସ୍ପିତି, ଶିମଲା, କୁଲୁ, ମଣ୍ଡି, ଚମ୍ବା ଏବଂ ସିରମୌର ଜିଲ୍ଲାର ପାହାଡିଆ ଅଞ୍ଚଳରେ ତୁଷାରପାତ ହୋଇଛି। ସେପଟେ ଅଟଳ ଟନେଲ ନିକଟରେ ଫସି ରହିଥିବା ପ୍ରାୟ ୫୦୦ ଗାଡିରୁ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ତୁଷାରପାତ କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଛି । କେତେକ ସ୍ଥାନରେ ଗାଡି ଖସିଯିବା କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
ସେହିପରି ତୁଷାରପାତ କାରଣରୁ ୩୫୬ ଟି ଟ୍ରାନ୍ସଫର୍ମର ବନ୍ଦ ହୋଇଯାଇଛି । ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରାବରହ ବ୍ୟାହତ ହୋଇଛି। ଜନସମ୍ପର୍କ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, ହିମାଚଳ ପ୍ରଦେଶରେ ଡିସେମ୍ବର ମାସରେ ହେଉଥିବା ତୁଷାରପାତ ସେଓ ଚାଷ ପାଇଁ ଅନୁକୁଳ ଅଟେ । କାରଣ ଏହା ମାଟିକୁ ଆର୍ଦ୍ରତା ଯୋଗାଇଥାଏ ଏବଂ ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ଅନେକ ଅଞ୍ଚଳରୁ ଏହି ମାସରେ ପର୍ଯ୍ୟଟକଙ୍କ ଭିଡ ଜମେ ।