ମୁମ୍ବାଇ: ଠିକା ଚାକିରି। ପୋଷ୍ଟ, କମ୍ପ୍ୟୁଟର ଅପରେଟର। ଦରମା ମାତ୍ର ୧୩ ହଜାର। ହେଲେ ଯୁବକଙ୍କ ପାଖରେ ଅଛି ବିଏମଡବ୍ଲୁ କାର ଓ ଦାମୀ ଏସୟୁଭି। ଆଉ ଏହି ଦରମାରେ ଗର୍ଲଫ୍ରେଣ୍ଡକୁ ୪ ବିଏଚକେ ଫ୍ଲାଟ୍ ଗିଫ୍ଟ ବି ଦେଇଛନ୍ତି। ସତରେ ଏପରି ସମ୍ଭବ କି? ହଁ ଏପରି ଏକ ଘଟଣା ସାମ୍ନାକୁ ମହାରାଷ୍ଟ୍ରରୁ। ଏଠାରେ ନିଜ ଟଙ୍କାରେ ନୁହେଁ ବରଂ ସରକାରଙ୍କ ଟଙ୍କାକୁ ବ୍ୟବହାର କରିଛନ୍ତି ଯୁବକ। ୬ ମାସରେ ୨୧ କୋଟି ଟଙ୍କାର ଚୂନ ଲଗାଇଛନ୍ତି ୨୩ ବର୍ଷୀୟ ଯୁବକ।
ଠକେଇ ଟଙ୍କାରେ କିଣିଛନ୍ତି ୧ କୋଟି ୨୦ ଲକ୍ଷ ଟଙ୍କାର BMW କାର୍ ଓ ୧ କୋଟି ୩୦ ଲକ୍ଷ ଟଙ୍କାର SUV। ସେହିପରି ୩୨ ଲକ୍ଷ ଟଙ୍କାର ଭିଏମଡବ୍ଲ୍ୟୁ ବାଇକ୍। ଏଥିସହିତ ଏକ ହୀରା ଥିବା ଚସମା ମଧ୍ୟ ନିଜର ପ୍ରେମିକାଙ୍କୁ ଉପହାର ପ୍ରଦାନ କରିଛନ୍ତି ହର୍ଷ କୁମାର କ୍ଷୀରସାଗର। ହେଲେ କେମିତି ସେ କଲେ ଏତେ ବଡ଼ ଠକେଇ ଆସନ୍ତୁ ଜାଣିବା।
ସୂଚନା ଅନୁସାରେ ହର୍ଷ ମହାରାଷ୍ଟ୍ରର ଛତ୍ରପତି ସମ୍ବାଜୀନଗରର ସରକାରୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ କମ୍ୟୁଟର ଅପରେଟର ଭାବେ ଚୁକ୍ତିଭିତିକ ନିଯୁକ୍ତି ପାଇଥିଲେ। ତେବେ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଏକ ପୁରୁଣା ଲେଟର ହେଡକୁ ବ୍ୟବହାର ସେ ବ୍ୟାଙ୍କକୁ ଏକ ଆବେଦନ କରିଥିଲେ। ସେଥିରେ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ଥିବା ବେଳେ ପୁରୁଣା ଇମେଲ ଆଇଡିକୁ ବଦଳାଇବା ପାଇଁ ଦରଖାସ୍ତ କରିଥିଲେ ହର୍ଷ। ପୁରୁଣା ଇମେଲ ଆଇଡିର କେବଳ ଗୋଟିଏ ଅକ୍ଷର ବଦଳାଇ ସେ ନିଜେ ତିଆରି କରିଥିବା ଏକ ଫେକ୍ ଇମେଲ୍ ଆଇଡିକୁ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରାଇବାରେ ସଫଳ ହୋଇଥିଲେ।
ଏହାପରେ ବିନା ବାଧାରେ ସରକାରୀ ଆକାଉଣ୍ଟର ମନଇଚ୍ଛା ଟଙ୍କା ଉଠାଇଥିଲେ ଯୁବକ। କାରଣ ତାଙ୍କ ପାଖକୁ ଆସୁଥିଲା ଓଟିପି ଓ ଟ୍ରାଞ୍ଜାକ୍ସନ ସମ୍ପର୍କିତ ସମସ୍ତ ତଥ୍ୟ। ଚଳିତ ବର୍ଷ ଜୁଲାଇ ୧ରୁ ଡିସେମ୍ବର ୭ ଭିତରେ ୨୧ କୋଟି ୬୦ ଲକ୍ଷ ଟଙ୍କାର ଠକେଇ କରିଛନ୍ତି ଏହି ଯୁବକ। ସେ ଏହି ଟଙ୍କା ଉଠାଇ ୧୩ଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣା ପରେ ହର୍ଷ ବର୍ତ୍ତମାନ ଫେରାର ଅଛନ୍ତି। ଅନ୍ୟପଟେ ଅଭିଯୁକ୍ତର ଗାଡି ଜବତ କରାଯାଇଛି। ସେହିପରି ଏହି ଠକେଇରେ ସାମିଲ ଥିବା ସହକର୍ମୀ ଯୋଶତା ସେଠି ଓ ତାଙ୍କ ସ୍ୱାମୀ ବିକେ ଜୀବନକୁ ଗିରଫ କରିଛି।
Comments are closed.