Latest Odisha News

ନୂଆବର୍ଷରେ ଆସନ୍ତୁ ଦେବ୍ରିଗଡ ଅଭୟାରଣ୍ୟ, ନିଅନ୍ତୁ ଜଙ୍ଗଲ ସଫାରୀର ମଜା

ଭୁବନେଶ୍ବର: ନୂଆବର୍ଷରେ ପ୍ରକୃତିର ମଜା ନେବାକୁ ଚାହୁଁଛନ୍ତି ତେବେ ଆସିଯାଆନ୍ତୁ ଦେବ୍ରିଗଡ ଅଭୟାରଣ୍ୟ । ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ । ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ପଚାଶ କିଲୋମିଟରେ ଦୂରତାରେ ଥିବା ଏହି ଅଭୟାରଣ୍ୟଟି ବରଗଡ଼ ଜିଲ୍ଲା ଭିତରେ ରହିଛି । ଏହା ବରଗଡ଼ ଜିଲ୍ଲାରେ ଅବସ୍ଥିତ ମାତ୍ର ସମ୍ବଲପୁର ଏବଂ ବୁର୍ଲା ଏହାର ନିକଟତମ ସହର ଅଟନ୍ତି । ହୀରାକୁଦ ଜଳଭଣ୍ଡାରର ଡାହାଣ ପଟ ଡାଇକ୍‍ର ଜିରୋ ପଏଣ୍ଟଠାରୁ ଏହି ଅରଣ୍ୟ ଆରମ୍ଭ ହୁଏ ।

 

ତେବେ ଏହି ଅଭୟାରଣ୍ୟ ଭିତରେ ରହିଛି ଦେବ୍ରିଗଡ ନେଚର କ୍ୟାମ୍ପ । ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜର ବ୍ୟବସ୍ଥା ରହିଛି । ଏହାସହ ହୀରାକୁଦର  ଜଳ ରାଶିରେ ବୋଟିଙ୍ଗ ଓ ଜଙ୍ଗଲ ସଫାରୀ ମଧ୍ୟ କରିପାରିବେ । ସଫାରୀ ଗାଡିରେ ବୁଲିଲାବେଳେ ଗୟଳ, ଭାଲୁ, ହରିଣ,ଚୌଶିଂଗା ହରିଣ, ଜଙ୍ଗଲି କୁକୁର, ବିଲୁଆ ଦେଖିବାସହ ସୁନ୍ଦର ପକ୍ଷୀ ଖାସ୍ କରି ହୀରାକୁଦ ଜଳରେ ବହୁତ ପ୍ରକାରର ବତକ, ହଂସ, ବିଦେଶୀ ପକ୍ଷୀ ଏହି ଶୀତ ଦିନରେ ଦେଖିପାରିବେ ।

 

ଖାଲି ସେତିକି ନୁହେଁ, ଏଠାରେ ବ୍ୟାଟ୍ ଆଇଲାଣ୍ଡ, କ୍ୟାଟେଲ ଆଇଲାଣ୍ଡ, ସନସେଟ୍ ଆଇଲାଣ୍ଡ, ଗୋବିନ୍ଦପୁର ବାର୍ଡ ଭିଲେଜ, ଘଟକୁସୁମ ଗ୍ରୀନ ଭିଲେଜ ପରି ଦର୍ଶନୀୟ ସ୍ଥାନ ଦେଖିପାରିବେ ।

 

ପ୍ରତିବର୍ଷ ପର୍ଯ୍ୟଟନର ବିକାଶ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ସମ୍ବଲପୁର ଆସିଲେ ଦେବ୍ରିଗଡ ଅଭୟାରଣ୍ୟରେ ବୁଲିବାକୁ ଭୁଲନ୍ତୁ ନାହିଁ ।

 

Comments are closed.