Latest Odisha News

ମହାକୁମ୍ଭ ୨୦୨୫ : ଟେନସନ୍ ଫ୍ରି ଯାତ୍ରା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରୟାଗରାଜ: ୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି । ଭାରତ ସମେତ ସମଗ୍ର ବିଶ୍ୱରୁ ପ୍ରାୟ ଚାଳିଶ କୋଟି ଲୋକ ଏଠାକୁ ଆସିବେ ବୋଲି ଅନୁମାନ କରାଯାଉଛି।  ଏହି ମେଳା  ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬ ଫେବୃଆରୀରେ ସମାପନ ହେବ ।  ସରକାରଙ୍କ ମହାକୁମ୍ଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରୟାଗରେ ମହାକୁମ୍ଭ ସମୟରେ ସାଧୁସନ୍ଥ, ନାଗା ସାଧୁ ଓ ମହାନ ବ୍ୟକ୍ତିତ୍ୱଙ୍କ ସମାବେଶ ହେବା ସହ ଲକ୍ଷାଧିକ ଶ୍ରଦ୍ଧାଳୁ ସେଠାକୁ ଆସିବେ ।

ତେବେ ଯଦି ଆପଣ ମହାକୁମ୍ଭ ମେଳାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ସେଠାରେ ପହଞ୍ଚିବା ପରେ କେଉଁ ସତର୍କତା ଅବଲମ୍ବନ କରାଯିବା ଉଚିତ ତାହା ଜାଣିବା ଜରୁରୀ । ଯାହା ଦ୍ବାରା ଆପଣଙ୍କ ଯାତ୍ରା ସୁରକ୍ଷିତ ଏବଂ ଟେନସନ ମୁକ୍ତ ହେବ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା

ମହାକୁମ୍ଭ ଯିବା ପୂର୍ବରୁ,ଆପଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ । ଡାକ୍ତରଙ୍କ ପରାମର୍ଶରେ ପେଟ ଯନ୍ତ୍ରଣା, ବାନ୍ତି, କାଶ ଏବଂ ଜ୍ୱର ପାଇଁ ଔଷଧ ରଖନ୍ତୁ । ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିପାରେ । ଏହା ବ୍ୟତୀତ କେବଳ ବିଶୁଦ୍ଧ ଜଳ ବ୍ୟବହାର କରନ୍ତୁ ।

ଟଙ୍କା ଏବଂ ମୂଲ୍ୟବାନ ଜିନିଷର ଧ୍ୟାନ ରଖନ୍ତୁ

ଭିଡ଼ ମଧ୍ୟରେ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଯେପରିକି ଅଳଙ୍କାର, ମୋବାଇଲ୍ ଇତ୍ୟାଦି ଚୋରି ହୋଇପାରେ । ତେଣୁ, ସେହି ଜିନିଷଗୁଡ଼ିକୁ ଏକ ସୁରକ୍ଷିତ ସ୍ଥାନରେ ରଖନ୍ତୁ କିମ୍ବା ଉକ୍ତ ଜନିଷ ଗୁଡିକୁ ସାଥୀରେ କମ୍ ନିଅନ୍ତୁ । ସର୍ବଦା ଅତ୍ୟାବଶ୍ୟକ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ଆଣ୍ଟି ଥିଫ୍ଟ ବ୍ୟାଗ ବ୍ୟବହାର କରନ୍ତୁ ।

ସୁରକ୍ଷାର ଧ୍ୟାନ ରଖନ୍ତୁ

ମହାକୁମ୍ଭରେ ବହୁତ ଭିଡ଼ ହୁଏ । ଯାତ୍ରା ସମୟରେ ଆପଣଙ୍କ ପରିବାର କିମ୍ବା ଗ୍ରୁପର ଅନ୍ୟ ସଦସ୍ୟମାନଙ୍କ ସହିତ ରୁହନ୍ତୁ । ଯଦି ଆପଣ ଏକାକୀ ଯାତ୍ରା କରୁଛନ୍ତି, ଆପଣ ଏକ ଗ୍ରୁପରେ ଯୋଗ ଦେଇପାରିବେ । ମୋବାଇଲ୍ ଫୋନରେ ଜରୁରୀକାଳୀନ ନମ୍ବରକୁ ଡାଏଲ୍ କରି ରଖନ୍ତୁ ।

ପ୍ରଶାସନର ପରାମର୍ଶ ଅନୁସରଣ କରନ୍ତୁ

ମହାକୁମ୍ଭ ଆୟୋଜନ ସ୍ଥଳରେ ପୋଲିସ,ପ୍ରଶାସନ ଏବଂ ସ୍ୱେଚ୍ଛାସେବୀମାନେ ସର୍ବଦା ସେଠାରେ ଉପସ୍ଥିତ ରହିଥାନ୍ତି । କୌଣସି ଅସୁବିଧାକୁ ଏଡାଇବା ପାଇଁ ପ୍ରଶାସନର ପରାମର୍ଶ ଅନୁସରଣ କରନ୍ତୁ। ଯାତ୍ରା ସୁରକ୍ଷିତ ହେଉ ସେଥିପାଇଁ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ।

ଖାଦ୍ୟ ଏବଂ ପାନୀୟ ସଠିକ୍ ଭାବେ କରନ୍ତୁ

ଭିଡ଼ ମଧ୍ୟରେ ଖାଇବାପିଇବା ଏପଟ ସେପଟ ହୋଇଯିବ । ତେଣୁ ଘରୁ ନିଜର ସ୍ନାକ୍ସ ନେଇକି ଯାଆନ୍ତୁ । ଯଦି ଆପଣ ବାହାରୁ ପାଣି କିଣୁଛନ୍ତି, ତେବେ ବୋତଲର ସିଲ୍ ସଠିକ୍ ଭାବରେ ଯାଞ୍ଚ କରନ୍ତୁ । ବିଶୁଦ୍ଧ ଖାଦ୍ୟ ଖାଆନ୍ତୁ ।

ଧାର୍ମିକ ନିୟମ ଏବଂ ରୀତିନୀତି ଅନୁସରଣ କରନ୍ତୁ

ମହାକୁମ୍ଭ ଏକ ଧାର୍ମିକ ଉତ୍ସବ ଏବଂ ସେଠାରେ କିଛି ବିଶେଷ ରୀତିନୀତି ଅଛି ଯାହାକୁ ଶ୍ରଦ୍ଧାଳୁମାନେ ସମ୍ମାନ କରିବା ଉଚିତ୍ । ସ୍ନାନ ପାଇଁ ନିର୍ମିତ ସ୍ଥାନଗୁଡ଼ିକରେ ହିଁ ସ୍ନାନ କରନ୍ତୁ ଏବଂ ଆପଣ ନିଜର ଧାର୍ମିକ ଦାୟିତ୍ବକୁ ତୁଲାନ୍ତୁ ।

Comments are closed.