ମୁମ୍ବାଇ: କଂଗ୍ରେସ ସାଂସଦଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ । ଖୁବଶୀଘ୍ର ସିନେମା ହଲକୁ ଆସୁଛି କଙ୍ଗନାଙ୍କ ସିନେମା ‘ଏମରଜେନ୍ସି’ । ଯାହା ପ୍ରିୟଙ୍କାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟର ଏକ ବିବାଦୀୟ ସମୟ । ତେଣୁ ଏହି ସିନେମାକୁ ଦେଖିବାକୁ ପ୍ରିୟଙ୍କାଙ୍କୁ ପ୍ରସ୍ତାବ ଦେଇଛନ୍ତି କଙ୍ଗନା । ସଂସଦରେ ତାଙ୍କ ସାଥୀ ସାଂସଦ ପ୍ରିୟଙ୍କାଙ୍କ ସହ ଆଲୋଚନା ସମୟରେ କଙ୍ଗନା ଏହି ଆମନ୍ତ୍ରଣ ଜଣାଇଥିଲେ ।
ତେବେ ଏକ ସାକ୍ଷାତକାରରେ ଏହାକୁ ନେଇ କଙ୍ଗନା କହିଛନ୍ତି, ମୁଁ ବାସ୍ତବରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସଂସଦରେ ଭେଟିଥିଲି । ପ୍ରଥମେ ମୁଁ ତାଙ୍କୁ ଏମରଜେନ୍ସି ସିନେମା ସେ ନିହାତି ଦେଖିବା ଦରକାର ବୋଲି ପ୍ରସ୍ତାବ ଦେଇଥିଲି । ସେ ବହୁତ ଭଲ ଭାବେ ଏହାର ଜବାବ ରଖିଥିଲେ ଏବଂ କହିଥିଲେ, ହଁ ଦେଖିପାରେ…ଏହା ପରେ କଙ୍ଗନା କହିଥିଲେ, ଆପଣଙ୍କୁ ଏହା ନିଶ୍ଚୟ ପସନ୍ଦ ଆସିବ ।
ତେବେ କହିରଖୁଛୁ, ଆସନ୍ତା ୧୭ ତାରିଖରେ ସିନେମା ହଲକୁ ଆସିବାକୁ ଯାଉଛି ସିନେମା ଏମରଜେନ୍ସି । ଯାହାର ଲେଖକ ଏବଂ ନିର୍ଦ୍ଦେଶକ ଉଭୟ କଙ୍ଗନା ରହିଥିବା ବେଳେ ମୁଖ୍ୟ ଚରିତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ଏହି ସିନେମା ୧୯୭୫-୧୯୭୭ ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ ।