ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଉ ଏହାରି ଭିତରେ ଭୟ ଦେଖାଇଲାଣି ଘନ କୁହୁଡ଼ି । ଘନ କୁହୁଡି ନେଇ ଆସନ୍ତା ତିନିଦିନ ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେହିପରି ୩ ଦିନ ପରେ ଶୀତ ପୁଣି ବଢ଼ିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ, କୋରାପୁଟ, କଟକ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ସୁନ୍ଦରଗଡ଼ ଏଭଳି ୯ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବା ସହ ଦୃଶ୍ୟମାନ୍ୟତା ହ୍ରାସ ପାଇବ । ସେଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୫ ତାରିଖରୁ ପାଗ ଶୁଖିଲା ରହିବା ସହ ଶୀତ ବଢ଼ିବ। ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ଉପରମୁହାଁ ହେବ । ସେଥିପାଇଁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର । ତେବେ ୩ ଦିନ ପରେ ରାଜ୍ୟରେ ପୁଣି ଶୀତ ବଢିବ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଶୀତ ଲହରୀ ଅନୁଭୂତ ହୋଇପାରେ ବୋଲି ଆକଳନକରିଛି ପାଣିପାଗ ବିଭାଗ ।