କଟକ: ରାତି ପାହିଲେ ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ପୂର୍ବରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମାଞ୍ଜା ସୂତାରୁ କଟୁଛି ଲୋକଙ୍କ ବେକ । ଗତ ୭ଦିନରେ ମାଞ୍ଜା ସୂତା ଦୁର୍ଘଟଣାରେ ୫ଜଣ ଆହତ ହେଲେଣି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ତତ୍ପରତା ଦେଖାଇଛି । ନିୟମିତ ଭାବେ ପୋଲିସ ମାଞ୍ଜା ସୂତା ରେଡ୍ କରୁଛି ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।
ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା । ବିପୁଳ ପରିମାଣରେ ବେଆଇନ ସୂତା ଜବତ୍ କରାଯାଇଛି। କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଛି। ତେବେ ମାଞ୍ଜା ସୂତା ବ୍ୟାନ ସହ ବିକ୍ରି ଉପରେ ହାଇକୋର୍ଟ ମଧ୍ୟ କଟକଣା ଲଗାଇଛନ୍ତି। ମାଞ୍ଜା ସୂତା ବିକ୍ରି କଲେ ବ୍ୟବସାୟୀଙ୍କୁ ଧରିବାକୁ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପର୍ବ କାହିଁ କେତେ ଦିନରୁ ରହିଛି । କିନ୍ତୁ ପରମ୍ପରା ନାଁରେ ଚାଇନା ମାଞ୍ଜା ସୂତାରେ ଗୁଡି ଉଡାଉଥିବା କାରଣରୁ ଅନେକଙ୍କ ଜୀବନ ଯାଇଛି । ତେଣୁ ସବୁଥର ପରି ଏଥର ମଧ୍ୟ ଏହି ଦୁର୍ଘଟଣାକୁ ଏଡ଼ାଇବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଆଜି ମଧ୍ୟ କଟକ ରାଜେନ୍ଦ୍ରନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବେକରେ ମାଞ୍ଜା ସୂତା ଲାଗିବାରୁ ସେ ଆହତ ହୋଇଛନ୍ତି । ତାଙ୍କ ବେକ ଓ ହାତରେ ଗୁଡି ସୂତା ଲାଗିଛି।