ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କଷ୍ଟମସ୍ ଅଧିକାରୀମାନେ ଜଣେ କେରଳୀ ଚାଲାଣକାରୀଙ୍କୁ ଧରିଛନ୍ତି । ଚାଲାଣକାରୀ ଜଣକ ବିସ୍କୁଟ୍ ପ୍ୟାକେଟ୍ରେ ଭର୍ତ୍ତି କରି ଏହି ଗଞ୍ଜେଇ ଆଣୁଥିଲେ ।
ଉକ୍ତ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କ ଲଗେଜ୍ ଯାଞ୍ଚ କରାଯାଇଥିଲା । ଏହି ସମୟରେ କିଛି ବିସ୍କୁଟ୍ ପ୍ୟାକେଟ୍ ରୁ ପ୍ରାୟ ୪ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୪କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ରହିଛି ।
ତେବେ ଘଟଣାର ତଦନ୍ତ ଜାରି ରହିଥିବାରୁ ବିଭାଗୀୟ ଅଧିକାରୀମାନେ ସବିଶେଷ ବିବରଣୀ ଦେଇନାହାନ୍ତି । ତେବେ ବ୍ୟାଙ୍କକ୍ ରୁ ଏହି କେରଳୀ ଜଣକ ଭୁବନେଶ୍ବର ଆସୁଥିବା ବିମାନରେ ଗଞ୍ଜେଇ ନେଇ ଆସୁଥିବା ଜଣାପଡିଛି ।
ଗତଥର ପଶ୍ଚିମବଙ୍ଗର ୨ ମହିଳାଙ୍କଠାରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ କରାଯାଇଥିଲା ଏବଂ ୨ ମହିଳାଙ୍କୁ ଗିରଫ କରିଥିଲା କଷ୍ଟମ ବିଭାଗ ।