ଯୋଧପୁର: ଆଶାରାମ ବାପୁଙ୍କୁ ମିଳିଲା ଜାମିନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏବେ ଆଶାରାମ ୧୧ ବର୍ଷ ପରେ ଯୋଧପୁର ସେଣ୍ଟ୍ରାଲ ଜେଲ୍ ରୁ ମୁକ୍ତ ହେବେ । ୨୦୧୩ରେ ରାଜସ୍ଥାନର ଯୋଧପୁରରେ ଜଣେ ନାବାଳିକାଙ୍କ ସହ ବଳାତ୍କାର ମାମଲାରେ ଆତ୍ମଘୋଷିତ ସନ୍ଥ ଆଶାରାମ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଦଣ୍ଡାଦେଶ ସ୍ଥଗିତ ରଖିବା ଏବଂ ଜାମିନ ସମ୍ପର୍କିତ ତାଙ୍କ ଆବେଦନର ଶୁଣାଣି ହୋଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ଦୀନେଶ ମେହେଟ୍ଟା ଏବଂ ଜଷ୍ଟିସ ବିନୀତ କୁମାର ମାଥୁରଙ୍କ ଖଣ୍ଡପୀଠ ଆଶାରାମଙ୍କୁ ଆଶ୍ୱସ୍ତି ଦେଇଥିଲେ । ତେବେ ଆଶାରାମଙ୍କୁ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି ।
ଆଶାରାମଙ୍କୁ ସର୍ତ୍ତାବଳୀ ସହିତ ଜାମିନ ଦିଆଯାଇଛି । ସର୍ତ୍ତ ଅନୁଯାୟୀ, ଜେଲରୁ ବାହାରିବା ପରେ ଆଶାରାମ ତାଙ୍କ ଅନୁଗାମୀମାନଙ୍କୁ ଭେଟିବେ ନାହିଁ । ସେ ଏହି ମାମଲାରେ ପ୍ରମାଣ ଏବଂ ସାକ୍ଷୀମାନଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ।
ସପ୍ତାହେ ତଳେ ଅନ୍ୟ ଏକ ବଳାତ୍କାର ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଆଶାରାମଙ୍କୁ ଜାମିନ ପ୍ରଦାନ କରିଥିଲେ ।
Comments are closed.