Latest Odisha News

BREAKING NEWS

ଆମେରିକାର ସିନସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ ‘କିସ୍‍ ଜୀବନବ୍ୟାପୀ ସାଧନା’ ସମ୍ମାନ

ଭୁବନେଶ୍ୱର: ଆମେରିକାର ସିନ୍‍ସିନାଟି ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ ଆଜି କିସ୍‍ ପକ୍ଷରୁ ସମ୍ମାନଜନକ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଛି।

ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ ଗ୍ରହଣ କରି ପିଣ୍ଟୋ ଶିକ୍ଷା ଓ ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଅଚ୍ୟୁତଙ୍କ ଦର୍ଶନ ଅନ୍ୟମାନଙ୍କ ପାଇଁ ପ୍ରକୃତରେ ପ୍ରେରଣାଦାୟୀ।

କିସ୍‍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପିଣ୍ଟୋ କହିଛନ୍ତି, ଆଜି ଯେଉଁ ସଫଳତା ଅଚ୍ୟୁତ ହାସଲ କରିଛନ୍ତି ସେହି ସଫଳତା ହାସଲ କରିବା ପାଇଁ ତୁମ ପ୍ରତ୍ୟେକଙ୍କ ନିକଟରେ ଶକ୍ତି ରହିଛି। ଅନ୍ୟମାନଙ୍କ ପାଇଁ ଭଲ କରିବା ନିମନ୍ତେ ଜ୍ଞାନ ତୁମମାନଙ୍କୁ ଏହି ଶକ୍ତି ଯୋଗାଇଥାଏ। ତାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ଆଲୋକ ବର୍ତ୍ତିକା ହେବା ଉଚିତ୍‍।

ସିନ୍‍ସିନାଟି ବିଶ୍ୱବିଦ୍ୟାଳୟ ୨୦୦ବର୍ଷର ଏକ ପୁରୁଣା ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ମାତ୍ର ୨୭ ବର୍ଷରେ କିଟ୍‍ ଓ କିସ୍‍ର ଏଭଳି ଅଭିବୃଦ୍ଧି ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେହିପରି ସ୍ୱାଗତ ଭାଷଣ ଦେଇ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ବିଶ୍ୱର ଏକ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସିନ୍‍ସିନାଟି ବିଶ୍ୱବିଦ୍ୟାଳୟର ନେତୃତ୍ୱ ନେଉଥିବା ପିଣ୍ଟୋଙ୍କ ଭଳି ଜଣେ ଭାରତୀୟ ବଂଶୋଦ୍ଭବ ଶିକ୍ଷାବିତ୍‍ଙ୍କୁ ସମ୍ମାନୀତ କରି ଆମେ ଗର୍ବିତ।

ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିନ୍‍ସିନାଟି ବିଶ୍ୱବିଦ୍ୟାଳୟ ପ୍ରତିନିଧିମଣ୍ଡଳ ଓ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Comments are closed.