Latest Odisha News

BREAKING NEWS

ସମ୍ବିଧାନ ଶବ୍ଦ କଂଗ୍ରେସ ମୁହଁରେ ଶୋଭା ପାଉନାହିଁ: ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ନିଜ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଏତେ ବଡ଼ ଦଳ ଗୋଟିଏ ପରିବାର ପ୍ରତି ସମର୍ପିତ । ଦଳ କେବଳ ମିଥ୍ୟା, ଭ୍ରଷ୍ଟାଚାର, ତୁଷ୍ଟୀକରଣକୁ ନେଇ ଚାଲିଛି । କିନ୍ତୁ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ଚାହୁଁଛୁ । ସବ୍‌କା ସାଥ୍‌, ସବ୍‌କା ବିକାଶ ହେଉଛି ଆମର ଲକ୍ଷ୍ୟ । ନିର୍ବାଚନ ଆସିଲେ ଯୁବରାଜଙ୍କୁ ଦେଖିବାକୁ ମିଳେ, ନିର୍ବାଚନ ସରିଲେ କେହି ନାହାଁନ୍ତି । କେବଳ ଯୋଜନା କଲେ ହେବନି, ତାହାକୁ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ହେବ ବୋଲି କହିଛନ୍ତି ମୋଦୀ ।

ସେହିପରି ଆମ୍ବେଦକର ପ୍ରସଙ୍ଗକୁ ନେଇ ମୋଦୀ କହିଛନ୍ତି ଯେ, ଆମ୍ବେଦକରଙ୍କ ନାମକୁ ନେଇ କଂଗ୍ରେସ ପୂର୍ବରୁ ବିରକ୍ତ ହେଉଥିଲା। ଆମ୍ବେଦକର ଭାରତ ରତ୍ନ ପାଇବାକୁ ନେଇ ଯୋଗ୍ୟ ମନେ କରିନଥିଲା କଂଗ୍ରେସ । କିନ୍ତୁ ଆଜି କଂଗ୍ରେସ ବାଧ୍ୟ ହୋଇ ଜୟ ଭୀମ କହୁଛି । କଂଗ୍ରେସ ଦ୍ରୁତ ଗତିରେ ମୁଖା ବଦଳାଉଛି। ଏବେବି ଦେଶରେ ଜାତିବାଦର ବିଷ ବିସ୍ତାର କରିବାକୁ ପ୍ରୟାସ କରୁଛି କଂଗ୍ରେସ । କିନ୍ତୁ ଆମେ ‘ସବକା ସାଥ, ସବକା ବିକାଶ’ର ନୀତିକୁ ବାସ୍ତବରେ କାର୍ଯ୍ୟକାରୀ କରିଛୁ।

ମୋଦୀ ଆହୁରି କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ସମ୍ବିଧାନକୁ ଦମନ କରିଥିଲା। ଯେତେବେଳେ କିଶୋର କୁମାର କଂଗ୍ରେସ ପାଇଁ ଗୀତ ଗାଇବାକୁ ମନା କଲେ, ସେତେବେଳେ କିଶୋର କୁମାରଙ୍କ ସମସ୍ତ ଗୀତକୁ ଆକାଶବାଣୀରେ ବ୍ୟାନ୍ କରାଯାଇଥିଲା। ସମ୍ବିଧାନ ଶବ୍ଦଟି କଂଗ୍ରେସ ମୁହଁରେ ଶୋଭା ପାଉନାହିଁ। କ୍ଷମତା ପାଇଁ ଏବଂ ରାଜପରିବାରର ଅହଂକାର ପାଇଁ, ଲକ୍ଷ ଲକ୍ଷ ପରିବାରକୁ ଧ୍ୱଂସ କରାଯାଇଥିଲା, ଦେଶକୁ ଜେଲରେ ପରିଣତ କରାଯାଇଥିଲା। ଏକ ବହୁତ ଲମ୍ବା ସଂଘର୍ଷ ଚାଲିଥିଲା ​​ଏବଂ ଶେଷରେ, ଯେଉଁମାନେ ନିଜକୁ ମହାନ ଯୋଦ୍ଧା ବୋଲି ଭାବୁଥିଲେ ସେମାନଙ୍କୁ ଲୋକଙ୍କ ଶକ୍ତିକୁ ଗ୍ରହଣ କରିବାକୁ ପଡିଲା, ଆଣ୍ଠୁ ମାଡ଼ି ବସିବାକୁ ପଡିଲା ଏବଂ ଲୋକଙ୍କ ଶକ୍ତି ଯୋଗୁଁ ଦେଶରୁ ଜରୁରୀକାଳୀନ ପରିସ୍ଥିତି ହଟିଗଲା ବୋଲି କହିଛନ୍ତି ମୋଦୀ ।

Comments are closed.