Latest Odisha News

BREAKING NEWS

ବାଣ କାରଖାନାରେ ବିସ୍ଫୋରଣ: ୪ମୃତ; ବିଜେପି ବିଧାୟକଙ୍କ ଏନଆଇଏ ତଦନ୍ତ ଦାବି

ପଶ୍ଚିମବଙ୍ଗ: ନଦିଆ ଜିଲ୍ଲାରେ ଶୁକ୍ରବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା କଲ୍ୟାଣୀର ରଥତଲା ଅଞ୍ଚଳର ଥିବା ଏକ ବାଣ କାରଖାନାରେ ଘଟିଛି ।

ନଦିଆର କଲ୍ୟାଣୀର ରଥତଲାର ଏକ ଜନବହୁଳ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ସମଗ୍ର ବାଣ କାରଖାନା ଉଡିଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ପୋଲିସର ସୂଚନାନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଘର ମଧ୍ୟ ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣ ପରେ ତୁରନ୍ତ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିସ୍ଫୋରଣ ସ୍ଥଳରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଯେତେବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଆହତ ହୋଇଥିବା ଜଣେ ମହିଳାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।

https://x.com/ANI/status/1887836666242744604

ସେମାନେ କାରଖାନାର କର୍ମଚାରୀ ଥିଲେ କି ନାହିଁ, ତାହା ଜାଣିବାକୁ ଆମେ ଚେଷ୍ଟା କରୁଛୁ ବୋଲି ପୋଲିସ ଅଧିକାରୀ କହିଛନ୍ତି । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯିବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପ୍ରାୟ ଦେଢ଼ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ।

ଏପଟେ କଲ୍ୟାଣୀର ବିଜେପି ବିଧାୟକ ଅମ୍ବିକା ରାୟ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ସହାୟତାରେ ଏହି ଜନବହୁଳ ଅଞ୍ଚଳରେ ବେଆଇନ ଭାବେ ଏହି ବାଣ କାରଖାନା ଚାଲିଛି।

ସେ କହିଛନ୍ତି, “ଏହି ଦୁଃଖଦ ଘଟଣାରେ ଚାରି ଜଣ ମହିଳା ଏବଂ ଗୋଟିଏ ଶିଶୁ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅନେକ ଘଟଣା ଘଟୁଛି। ଏଠାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଥିଲା । ଏହା ସମ୍ଭବ କି! ଏଠାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ରହିଥିବା ପୋଲିସ ଜାଣି ନାହିଁ। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୁଁ ଏହି ଘଟଣାର ଏନଆଇଏ ତଦନ୍ତ ଦାବି କରୁଛି। ଆମେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବୁ।

ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ଅନେକ ବିସ୍ଫୋରଣ ଘଟଣା ଘଟିଛି। ଗତ ଛଅମାସ ମଧ୍ୟରେ ଦକ୍ଷିଣ ୨୪ ପରଗାନା ଜିଲ୍ଲାର ଚମ୍ପାହାଟି ଏବଂ ଡାଇମଣ୍ଡ ହାର୍ବରରେ ବିସ୍ଫୋରଣ ଘଟଣା ମଧ୍ୟ ଘଟିଛି।

Comments are closed.