Latest Odisha News

BREAKING NEWS

ମେ’ ୪ରେ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା; ଓଡ଼ିଆ ଭାଷାରେ ରହିବ ପ୍ରଶ୍ନପତ୍ର

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୫ ( NEET-UG 2025 ) ଆସନ୍ତା ମେ’ ୪ତାରିଖରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୪ ତାରିଖରେ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ୧୩ଟି ଭାଷାରେ ପରୀକ୍ଷା ଦେଇ ପାରିବେ । ଯେଉଁଥିରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ରହିବ।

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପାଇଁ ଛାତ୍ରଛାତ୍ରୀ ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି। neet.nta.nic.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ । ଆଡମିଟ୍ କାର୍ଡ ମେ ୧ରୁ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ।

 

ପରୀକ୍ଷା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ୧୭୦୦ ଟଙ୍କା ରହିଛି । ସେହିପରି EWS କିମ୍ବା OBC ବର୍ଗ ପାଇଁ ୧୬୦୦ ଟଙ୍କା ଓ SC/ST/PWD / ତୃତୀୟ ଲିଙ୍ଗୀ ଆବେଦନକାରୀଙ୍କ ପାଇଁ ୧୦୦୦ ଟଙ୍କା ପରୀକ୍ଷା ଫି’ ରହିଛି। ଅନ୍ୟପଟେ ଦେଶ ବାହାରେ ପରୀକ୍ଷା କେନ୍ଦ୍ର ଚୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫି ୯,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ଛାତ୍ରଛାତ୍ରୀମାନେ ଆବେଦନ ଫର୍ମରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଥିଲେ, ମାର୍ଚ୍ଚ ୯ରୁ ୧୧ ତାରିଖ ମଧ୍ୟରେ କରିପାରିବେ ।

ସୂଚନାଥାଉକି, ୨୦୨୪ରେ ରେକର୍ଡ ସଂଖ୍ୟକ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମେଡିକାଲ କଲେଜରେ ନାମଲେଖା ପାଇଁ ଏନଟିଏ ପ୍ରତିବର୍ଷ ନିଟ୍ ଆୟୋଜନ କରିଥାଏ। ଏମବିଏସଏସ ପାଠ୍ୟକ୍ରମ ପାଇଁ ମୋଟ ୧ ଲକ୍ଷ ୮ ହଜାର ଆସନ ଉପଲବ୍ଧ ଅଛି। ସେଥିମଧ୍ୟରେ ପ୍ରାୟ ୫୬ ହଜାର ସରକାରୀ ଓ ୫୨ ହଜାର ଘରୋଇ କଲେଜରେ ଆସନ ରହିଛି। ଦନ୍ତ ଚିକିତ୍ସା, ଆୟୁର୍ବେଦ, ୟୁନାନୀ ଓ ସିଦ୍ଧରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ପରୀକ୍ଷା ଫଳକୁ ମଧ୍ୟ ବ୍ୟବହାର କରାଯାଇଥାଏ।

 

Comments are closed.