Latest Odisha News

BREAKING NEWS

ଉଦ୍‍ଘାଟନ ହେଲା ୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର: ଶୀତୁଆ ସନ୍ଧ୍ୟା ସାଙ୍ଗକୁ ଧଉଳି ପାଦ ଦେଶର ସୁଲୁସୁଲିଆ ପବନ। ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ଘୁଙ୍ଗୁରର ପଦଧ୍ୱନୀରେ ମୁଖରିତ ହେଉଥିଲା ଚାରିଦିଗ। ଏଭଳି ଏକ ରୋମାଞ୍ଚକର ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ। ଐତିହାସିକ ଧଉଳି ଶାନ୍ତିସ୍ତୁପର ପାଦଦେଶରେ ପର୍ଯ୍ୟଟନ ବିଭାଗ,  ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୨୧ ତମ ଧଉଳୀ କଳିଙ୍ଗ ମହୋତ୍ସବର ଉଦ୍‍ଘାଟିତ ହୋଇଛି । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା  ପ୍ରଚାର କରିଥିଲେ ସେହି ସ୍ଥାନରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଝଙ୍କୃତ ହେବ ନୃତ୍ୟ ଓ ସଙ୍ଗୀତର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା ।

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, କଳା, ସଂସ୍କୃତି, ଐତିହ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରିବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ । ଭାରତୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରାରେ ସମ୍ପୃକ୍ତ ଥିବା ୨୦୦ରୁ ଅଧିକ କଳାକାରମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ଏହାର ବିବିଧତା ମଧ୍ୟରେ ଏକତାକୁ ପାଳନ କରିବେ । ଏହି ଧଉଳୀ କଳିଙ୍ଗ ମହୋତ୍ସବର ସିଧାପ୍ରସାରଣ ଡ଼ିଡ଼ି-ଭାରତୀ ଏବଂ ପୁନଃ ପ୍ରସାରଣ ଡ଼ିଡ଼ି-ଓଡ଼ିଆ ଚେନାଲରେ କରାଯାଉଅଛି ।

ଉଦ୍‍ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା କଟକର ଗୁରୁ (ଡକ୍ଟର) ଜ୍ୟୋତ୍ସା ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ସୁରମନ୍ଦିରର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେହିପରି ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଭାରତନାଟ୍ୟମ୍‍ ନୃତ୍ୟ । ଯାହାକୁ ପରିବେଷଣ କରିଥିଲେ ମୁମ୍ବାଇରୁ ଆସିଥିବା ଗୁରୁ ପବିତ୍ର ଭଟ୍ଟଙ୍କ ଦ୍ୱାରା ପ୍ରତିଷ୍ଠିତ ପବିତ୍ର ଆର୍ଟ ଭିଜୁଆଲ୍‍ ଇନ୍‍ଷ୍ଟିଚ୍ୟୁଟର ଶିଳ୍ପୀମାନେ । ସନ୍ଧ୍ୟାର ଶେଷ ପରିବେଷଣ ଥିଲା ପୁରୀର ଗୁରୁ ଜ୍ଞାନରଞ୍ଜନ ମହାନ୍ତି ଓ ସାଥୀଙ୍କ ଦ୍ୱାରା ମଲ୍ଲଖମ୍ବ (ଫତେ ଫାଇଟର୍‍) ନୃତ୍ୟ ।  ସେମାନେ ଭଗବାନ ଗଣେଶଙ୍କ ଜନ୍ମ ସମ୍ପର୍କିତ ଏକ କାହାଣୀ ଶିବଗଣେଶ ପରିବେଷଣ କରିଥିଲେ ।

 

Comments are closed.