ନୂଆଦିଲ୍ଲୀ: ଦିଲ୍ଲୀ ଜିତିବା ପରେ ଜୋଶରେ ବିଜେପି । ଏବେ ପରବର୍ତ୍ତୀ ଟାର୍ଗେଟ୍ ବିହାର । ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ବିହାରରେ ପଦ୍ମ ଫୁଟାଇବାକୁ କମର କଷିଲେଣି ବିଜେପି ନେତା । ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦିଲ୍ଲୀ ନିର୍ବାଚନ ଫଳ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଚିନ୍ତା ବଢାଇଥିବା କୁହାଯାଉଛି । ସିଏମ୍ ଚେହେରାକୁ ନେଇ ଅମିତ ଶାହାଙ୍କ ବୟାନ ପରେ ନୀତିଶ କେତେବେଳେ ନିରବ ରହି ତ କେତେବେଳେ ମଣିପୁର ଝଟକା ଦେଇ ବିଜେପି ଉପରେ ଚାପ ପକାଉଥିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଦିଲ୍ଲୀ ଫଳାଫଳ ପରେ ବିଜେପି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ସନ୍ଦେହ ବଢିଛି । ଆଉ ସେଥିପାଇଁ ସଂଖ୍ୟା ବଳ କମ୍ ଥିବା ନୀତିଶଙ୍କ ଚିନ୍ତା ବଢିଥିବା କୁହାଯାଉଛି ।
ନୀତିଶଙ୍କୁ ଦିଲ୍ଲୀ ଝଟକା !
ସହଯୋଗୀ ବଦଳାଇବା ହେଉ କିମ୍ବା ପ୍ରେସର ପଲିଟିକ୍ସ, ନୀତିଶ କୁମାରଙ୍କ ରାଜନୀତି ଅନେକ ସମୟରେ ଚର୍ଚ୍ଚାରେ ରହିଛି । ସେଥିପାଇଁ ଜେଡିୟୁ କମ୍ ସିଟ୍ ଜିତିଥିଲେ ବି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା ବିଜେପି । ହେଲେ ଏବେ ସମୟ ଓ ପରିସ୍ଥିତି ଉଭୟ ବଦଳିଛି । ମହାରାଷ୍ଟ୍ର ଭଳି ବିହାରରେ ବି ନିଜ ଦଳର ମୁଖ୍ୟମନ୍ତ୍ରୀ ପାଇଁ ଚିନ୍ତା କରିପାରେ ବିଜେପି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ନିର୍ବାଚନ ପରେ ସନ୍ଦେଶ ବି ଦେଇ ସାରିଛନ୍ତି । ବିହାର ଏନଡିଏର ନେତୃତ୍ବ ନେଇ ଶାହାଙ୍କ ବୟାନ ଅନେକ ପ୍ରଶ୍ନ ଛାଡିଥିଲା । ଏହାପରେ ନିରବ ରହି ପ୍ରେସର ପଲିଟିକ୍ସ କରିଥିଲେ ନୀତିଶ । ହେଲେ ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ନୀତିଶ ଆଉ ବାର୍ଗେନିଂ ମୁଡରେ ରହିନପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।
ବିଜେପିର ବିହାର ପ୍ଲାନ୍
ଓଡିଶାରେ ବିଜେଡି, ମହାରାଷ୍ଟ୍ରରେ ଶିବସେନା, ଏନସିପି ହୁଅନ୍ତୁ କି ଦିଲ୍ଲୀର ଆମ୍ ଆଦମୀ ପାର୍ଟି, ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳକୁ କ୍ଷମତାରୁ ବାହାର କରି ଆସୁଛି ବିଜେପି । ଆଗକୁ ବିହାର ନିର୍ବାଚନ ହେବାକୁ ଥିବା ବେଳେ ମେଣ୍ଟ ସହଯୋଗୀ ନୀତିଶ ନୁହନ୍ତି ବରଂ ନିଜ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଉଦ୍ୟମ କରିପାରେ ବିଜେପି । ଆଉ ସେଥିପାଇଁ ବଜେଟରେ ବିଜେପି ମଞ୍ଚ ପ୍ରସ୍ତୁତ କରିଥିବା କୁହାଯାଉଛି । ବଜେଟରେ ବିହାରକୁ ଫୋକସ୍ କରି ଅନେକ ଘୋଷଣା କରାଯାଇଛି । ଏୟାରପୋର୍ଟ ସଂପ୍ରସାରଣ ହେଉ କି ମଖାନା ବୋର୍ଡ ଅନେକ ଉପହାର ଦେଇଛି କେନ୍ଦ୍ର । ନିର୍ବାଚନ ବେଳେ ଏଥିପାଇଁ ଶ୍ରେୟ ନେବ ବିଜେପି । ବିହାରରେ ଦଳର ସ୍ଥିତି ଆହୁରି ମଜବୁତ କରିବା ସହ ଅଧିକ ସିଟ୍ ଜିତିବା ଉପରେ ଜୋର ଦେବ ବିଜେପି। ଆଉ ଫଳାଫଳ ଦେଖି ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ନେବ । ତେବେ ଗତଥର ପରି କମ୍ ସିଟ ଜିତିଥିବା ନୀତିଶଙ୍କୁ ପୁଣି ସିଏମ୍ କରିନପାରେ ବିଜେପି ।
ଦ୍ବନ୍ଦ୍ବରେ ଇଣ୍ଡିଆ, ବାଜି ମାରିନେବ ବିଜେପି !
ଦିଲ୍ଲୀ ନିର୍ବାଚନ ବେଳେ ଇଣ୍ଡିଆ ମେଣ୍ଟ ମଧ୍ୟରେ ଥିବା ମତଭେଦ ସାମନାକୁ ଆସିଥିଲା । କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିଲେ । ଟିଏମସି, ଏସପି, ଆରଜେଡି ପରି ସହଯୋଗୀ ଆପକୁ ସମର୍ଥନ କରିଥିଲେ । ତେଣୁ ବିହାରରେ ଇଣ୍ଡିଆ ମେଣ୍ଟ ନିର୍ବାଚନ ଲଢିବା ନେଇ ଦ୍ବନ୍ଦ୍ବ ରହିଛି । ସେପଟେ ଗତ ବର୍ଷେ ହେଲା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚର୍ଚ୍ଚା ହୋଇଆସୁଛି । ଏପରିକି ନିର୍ବାଚନ ପୂର୍ବରୁ ତାଙ୍କ ପୁଅ ନିଶାନ୍ତ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି କୁହାଯାଉଛି । ନୀତିଶ କୁମାରଙ୍କ ନେତୃତ୍ବରେ ଜେଡିୟୁକୁ ଅର୍ଥନୈତିକ ପଛୁଆ ବର୍ଗଙ୍କ ସମର୍ଥନ ମିଳି ଆସୁଥିବା ବେଳେ ନୀତିଶଙ୍କ ଅସୁସ୍ଥତା ବେଳେ ତାଙ୍କ କୋର୍ ଭୋଟବ୍ୟାଙ୍କ ହାତେଇବାକୁ ଉଦ୍ୟମ କରିପାରେ ବିଜେପି ।
ବିହାରରେ ନୀତିଶଙ୍କ ନେତୃତ୍ବକୁ ନେଇ ବିଜେପି ସ୍ପଷ୍ଟ କରିନଥିବା ବେଲେ ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ବାର୍ଗେନିଂ ସ୍ଥିତିରେ ରହିନପାରନ୍ତି ନୀତିଶ । କେନ୍ଦ୍ରରେ ଜେଡିୟୁ ଓ ଆନ୍ଧ୍ରପ୍ରଦେଶର ଟିଡିପି କାନ୍ଧରେ ଭରା ଦେଇ ବିଜେପି ସରକାର ଗଢିଥିବାରୁ ନୀତିଶ, ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛନ୍ତି । ହେଲେ ଦିଲ୍ଲୀ ଫଳ ପରେ ବିହାର ବଲ୍ ବିଜେପି କୋର୍ଟରେ ରହିଥିବା ଚର୍ଚ୍ଚା ହେଉଛି । ଏପରିକି ବିହାର ନିର୍ବାଚନ ଫଳାଫଳ ଏନଡିଏ ସପକ୍ଷରେ ଗଲେ ବି ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରଶ୍ନ ଉଠୁଛି ।
Comments are closed.