ନୂଆଦିଲ୍ଲୀ: କଂଗ୍ରେସକୁ ବିରୋଧ କରି ରାଜନୀତିକୁ ଆସିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । କଂଗ୍ରେସ ସମର୍ଥନରେ ହିଁ ପ୍ରଥମ ଥର କ୍ଷମତାକୁ ଆସିଥିଲେ । ଆଉ ଏବେ କଂଗ୍ରେସର ବିରୋଧ ହିଁ ତାଙ୍କୁ କ୍ଷମତାରୁ ବେଦଖଲ କରିଛି । ଲୋକସଭା ନିର୍ବାଚନରେ ଉଭୟ ଆପ୍ ଓ କଂଗ୍ରେସ ଏକାଠି ଲଢିଥିଲେ, ତେବେ ବିଧାନସଭା ନିର୍ବାଚନ ପାଇଁ ଏକାଠି ହେବାର ସମ୍ଭାବନା ବହୁ ପୂର୍ବରୁ ଶେଷ ହୋଇଯାଇଥିଲା। ତେବେ ଅଲଗା ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇ ଆପ୍ ହିଁ ପ୍ରଥମେ ଘୋଷଣା କରିଥିଲା । ଏହାପରେ ଉଭୟ ଦଳ ପରସ୍ପରକୁ ସିଧାସଳଖ ଟାର୍ଗେଟ୍ କରିଥିଲେ । ଏଥର ବି ଦିଲ୍ଲୀରେ କଂଗ୍ରେସ ଖାତା ଖୋଲିପାରିନି, ହେଲେ ଆପକୁ ହରାଇବା ପଛର କାରଣ ହୋଇଛି ।
ହାତ ମିଳାଇଥିଲେ ଜିତିଯାଇଥାନ୍ତା ଆପ୍ !
୨୦୨୦ ବିଧାନସଭା ନିର୍ବାଚନରେ ୫୩.୫୭ ପ୍ରତିଶତ ଭୋଟ୍ ପାଇଥିବା ଆପକୁ ଏଥର ୪୩.୫୭ପ୍ରତିଶତ ଭୋଟ୍ ମିଳିଛି । ଦଳ ୧୦ପ୍ରତିଶତ ଭୋଟ୍ ହରାଇଛି । ବିଜେପି ୪୫.୫୬ପ୍ରତିଶତ ଭୋଟ୍ ପାଇ କ୍ଷମତା ଦଖଲ କରିଛି । ଅର୍ଥାତ ଭୋଟ୍ ବ୍ୟବଧାନ ୨ପ୍ରତିଶତରୁ ବି କମ୍ । ସେପଟେ କଂଗ୍ରେସ ଗତଥର ଅପେକ୍ଷା ୨.୧ପ୍ରତିଶତ ଅଧିକ ଭୋଟ ସହ ମୋଟ୍ ୬.୩୪ ପ୍ରତିଶତ ଭୋଟ୍ ପାଇଛି । ଯଦି ଲୋକସଭା ଭଳି କଂଗ୍ରେସ ଓ ଆପ୍ ଏଥର ଏକାଠି ଲଢିଥାନ୍ତେ ତେବେ ହୁଏତ ଦିଲ୍ଲୀ ଫଳାଫଳ ଭିନ୍ନ ହୋଇଥାନ୍ତା । ଅଲଗା ଲଢିବା ନିଷ୍ପତ୍ତି ଆପ୍ ପାଇଁ ମହଙ୍ଗା ପଡିଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି ।
କଂଗ୍ରେସ ପାଇଁ ହାରିଲେ ଆପ୍ ନେତା !
ଦିଲ୍ଲୀ ନିର୍ବାଚନର ସବୁଠୁ ହାଇପ୍ରୋଫାଇଲ୍ ସିଟ୍ ରହିଥିଲା ନୂଆଦିଲ୍ଲୀ । ଏଠାରୁ ନିର୍ବାଚନ ଲଢିଥିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କଠାରୁ ୪ହଜାର ୮୯ଭୋଟରେ ଏଠାରେ ନିର୍ବାଚନ ହାରିଛନ୍ତି କେଜ୍ରିଓ୍ବାଲ । ତେବେ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ ପାଇଛନ୍ତି ୪ହଜାର ୫୬୮ଭୋଟ୍, ଯାହା ବିଜୟ ମାର୍ଜିନଠାରୁ ଅଧିକ । ସେହିପରି ଜଙ୍ଗପୁରା ସିଟରେ ଆପର ବରିଷ୍ଠ ନେତା ମନୀଷ ସିସୋଦିଆ ବିଜେପି ପ୍ରାର୍ଥୀ ତରବିନ୍ଦର ସିଂ ମାରଓ୍ବାଙ୍କଠାରୁ ମାତ୍ର ୬୭୫ ଖଣ୍ଡ ଭୋଟରେ ହାରିଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଫରହାଦ ସୁରୀଙ୍କୁ ମିଳିଛି ୭ହଜାର ୩୫୦ଭୋଟ୍ । ଗ୍ରେଟର କୈଳାସ ସିଟରେ ଆପ୍ ପ୍ରାର୍ଥୀ ସୌରଭ ଭରଦ୍ବାଜ ୩ହଜାର ୧୮୮ଭୋଟରେ ହାରିଥିବା ବେଳେ, ସେଠାରେ କଂଗ୍ରେସ ପ୍ରାର୍ଥୀ ପାଇଛନ୍ତି ୬ହଜାର ୭୧୧ଭୋଟ୍ । ମାଲବ୍ୟନଗର ହେଉ କି ରାଜିନ୍ଦର ନଗର, ଏଭଳି ଅନେକ ସିଟ୍ ରହିଛି ଯେଉଁଠି ବିଜୟ ବ୍ୟବଧାନଠାରୁ ଅଧିକ ସିଟ୍ ଜିତିଛନ୍ତି କଂଗ୍ରେସ ପ୍ରାର୍ଥୀ। ଅର୍ଥାତ ଯଦି କଂଗ୍ରେସ ଓ ଆପ୍ ମିଶି ନିର୍ବାଚନ ଲଢିଥାନ୍ତେ, ଏସବୁ ସିଟ ଜିତିପାରିଥାନ୍ତେ ।
କଂଗ୍ରେସ ନେଲା ପୁରୁଣା ବଦଲା !
ଦିଲ୍ଲୀରେ ୨୦୧୩ରେ ପ୍ରଥମ ନିର୍ବାଚନ ଲଢିଥିଲା ଆମ ଆଦମୀ ପାର୍ଟି । ସେତେବେଳେ କ୍ଷମତାରେ ଥିବା କଂଗ୍ରେସ ସରକାରକୁ ବିରୋଧ କରି ନିର୍ବାଚନ ରାଜନୀତିକୁ ଆସିଥିଲା ଦଳ । ଗତ ୧୦ବର୍ଷ ମଧ୍ୟରେ କଂଗ୍ରେସର କୋର୍ ଭୋଟବ୍ୟାଙ୍କ ଆପକୁ ସ୍ଥାନାନ୍ତର ହୋଇଥିଲା । ଦଳିତ, ନିମ୍ନ ରୋଜଗାରକ୍ଷମ ଭୋଟର କଂଗ୍ରେସ ଜାଗାରେ ଆପକୁ ବାଛିଥିଲେ । କେଉଁଠି ନା କେଉଁଠି ଦିଲ୍ଲୀରେ କଂଗ୍ରେସର ପତନ ପଛରେ ରହିଥିଲା ଆପ୍ । ଆଉ ଏଥର ହାତ ଛାଡି ନିର୍ବାଚନ ଲଢିଥିବା ଆପର ବିପର୍ଯ୍ୟୟ ପଛରେ କଂଗ୍ରେସକୁ କାରଣ ବୋଲି କୁହାଯାଉଛି ।
ଇଣ୍ଡିଆ ମେଣ୍ଟ ନେତୃତ୍ବର ବଡ଼ ଦାବେଦାର ଭାବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁ ଚର୍ଚ୍ଚା ହେଉଥିଲା । ଯଦି ଏଥର ଦିଲ୍ଲୀ ଜିତିଥାନ୍ତା ଆପ୍, ତେବେ ବିରୋଧୀ ମେଣ୍ଟରେ ରାହୁଲଙ୍କ ବଡ ଚ୍ୟାଲେଞ୍ଜର ହୋଇ ଠିଆ ହୋଇଥାନ୍ତେ କେଜ୍ରିଓ୍ବାଲ । ଦିଲ୍ଲୀ ନିର୍ବାଚନରେ ମମତା ବାନାର୍ଜୀ ଓ ଅଖିଲେଶ ଯାଦବଙ୍କ ପରି ନେତା ଖୋଲାଖୋଲି ଆପକୁ ସମର୍ଥନ କରି ପରୋକ୍ଷରେ କଂଗ୍ରେସକୁ ଆଖି ଦେଖାଇଥିଲେ । ତେବେ ଦିଲ୍ଲୀରେ ଆପର ପରାଜୟ ସହ ଇଣ୍ଡିଆ ମେଣ୍ଟ ସହଯୋଗୀଙ୍କୁ ବି ସିଧା ସନ୍ଦେଶ ଦେଇଛି କଂଗ୍ରେସ । ଅର୍ଥାତ ବିରୋଧୀ ମେଣ୍ଟର ଡ୍ରାଇଭିଂ ସିଟରେ କଂଗ୍ରେସ ହିଁ ରହିବ । ତେବେ ଦିଲ୍ଲୀରେ ଆପକୁ ସିଧା ଟକ୍କର ଦେଇ ରାହୁଲ ଗାନ୍ଧୀ ଆଞ୍ଚଳିକ ଦଳ ଉପରେ କଂଗ୍ରେସର ନିର୍ଭରଶୀଳତା କମ୍ କରିବା ନେଇ ବି ଇସାରା ଦେଇଛନ୍ତି ।
Comments are closed.