ନୂଆଦିଲ୍ଲୀ:‘ଡବ୍ଲ୍ୟୁପିଏଲ୍’ର ତୃତୀୟ ସଂସ୍କରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ । ଆଜି ଅର୍ଥାତ୍ ଫେବ୍ରୁଆରି ୧୪ରୁ ମ୍ୟାଚ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖରେ ତାରିଖରେ ଲିଗ୍ ଶେଷ ହେବ । ଏଥିରେ ଅଂଶଗ୍ରହଣ କରୁଥିବା ଦଳ ଗୁଡିକ ହେଲା ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ।
ତେବେ ଆଜିର ଉଦଘାଟନୀ ମ୍ୟାଚରେ ଡେଫେଣ୍ଡି ଚାମ୍ପିଆନ୍ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ କୁ ଭେଟିବ ଗୁଜରାଟ ଜାଏଣ୍ଟସ୍ । ରାତି ୭ଟା ୩୦ରୁ ମ୍ୟାଚ ଆରମ୍ଭ ହେବ। ବରୋଦାର କୋଟାମ୍ବି ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ପ୍ରଥମ ମୁକାବିଲା ପୂର୍ବରୁ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ସହ ବହୁ ପ୍ରତିଷ୍ଠିତ କଳାକାର ତଥା ଗାୟକ ଅଂଶଗ୍ରହଣ କରିବେ।

ସୂଚନାଥାଉକି, ମହିଳା ପ୍ରିମିୟର ଲିଗ୍ ର ମ୍ୟାଚ ଗୁଡିକ ଚାରଟି ଭେନ୍ୟୁ ବରୋଦା, ମୁମ୍ବାଇ, ଲକ୍ଷ୍ନୌ, ବେଙ୍ଗାଲୁରୁରେ ଖେଳାଯିବ । ଖେଳର ସିଧା ପ୍ରସାରଣ ଜିଓ ସିନେମା, ସ୍ପୋର୍ଟ୍ସ 18ରେ ଦେଖି ପାରିବେ । ଆଇପିଏଲ୍ ଭଳି ‘ଡବ୍ଲ୍ୟୁପିଏଲ୍’ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଖେଳାଯିବ ।
ଏହା ପୂର୍ବରୁ ୨୦୨୩ରେ ଖେଳାଯାଇଥିବା ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୨୪ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଆନ୍ସ ହୋଇଥିଲେ ।
Comments are closed.