Latest Odisha News

BREAKING NEWS

କାହିଁକି ପୁଅକୁ ସବୁଆଡେ ସାଙ୍ଗରେ ନିଅନ୍ତି ଏଲନ ମସ୍କ?

ନୂଆଦିଲ୍ଲୀ: ପୁଅ ଏକ୍ସକୁ ଏଲନ ମସ୍କଙ୍କ ସାଙ୍ଗରେ ସବୁଠି ଦେଖିବାକୁ ମିଳୁଛି । ହ୍ବାଇଟ୍ ହାଉସର ଓଭାଲ ଅଫିସ ହେଉ କି ମହାକାଶଚାରୀଙ୍କ ସହ ବୈଠକ, କିମ୍ବା ବିଶ୍ବର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ମିଟିଂ । ଆମେରିକା  ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ବା ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେଉଥିବା ଏଲନ ମସ୍କଙ୍କ ପୁଅ ଏକ୍ସକୁ ସବୁବେଳେ ତାଙ୍କ ସହ ଦେଖିବାକୁ ମିଳୁଛି । ବିଶ୍ବର ସବୁଠୁ ଧନୀ ମଣିଷ, ଆମେରିକା ଭଳି ରାଷ୍ଟ୍ରର ବଡ ପଦାଧିକାରୀ, ଏଲନ ମସ୍କ ପୁଅ ଏକ୍ସକୁ ସାଙ୍ଗରେ ନେବା ପଛର କାରଣ କଣ? ଏଲନ ମସ୍କଙ୍କର ଦୁଇ ଦୁଇ ଥର ବିବାହ ବିଚ୍ଛେଦ ହୋଇଥିବା ବେଳେ ଅନେକ ସଂପର୍କକୁ ନେଇ ଚର୍ଚ୍ଚା ହୋଇଛି । ମସ୍କଙ୍କର ୧୧ଜଣ ସନ୍ତାନ ରହିଥିବା ବେଳେ ଏକ୍ସ ତାଙ୍କ ପାଇଁ ସ୍ବତନ୍ତ୍ର ବୋଲି କୁହାଯାଉଛି ।

ପିଲାଙ୍କୁ ସାଙ୍ଗରେ ନିଅନ୍ତି ମସ୍କ

ଏଲନ ମସ୍କଙ୍କ ସହ ତାଙ୍କ ପିଲାମାନଙ୍କୁ ବିଭିନ୍ନ ସମୟରେ ଦେଖିବାକୁ ମିଳେ । ୨୦୧୫ରେ ସିଲିକନ ଭ୍ୟାଲିରେ ଏକ କାର୍ଯ୍ୟକ୍ରମ ସମୟରେ ତାଙ୍କର ୫ଜଣ ପିଲାଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ହ୍ବାଇଟ୍ ହାଉସର ଓଭାଲ ଅଫିସକୁ ମସ୍କଙ୍କ ସହ ଯାଇଥିଲା ୪ବର୍ଷର କୁନି ଏକ୍ସ । ସାଧାରଣତଃ ଓଭାଲ ଅଫିସରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଉଥିବା ବେଳେ ସମସ୍ତଙ୍କ ନଜର ରହିଥିଲା ଏକ୍ସ ଉପରେ । କେତେବେଳେ ବାପାଙ୍କ ପାଖରେ ଠିଆ ହୋଇ ତ କେତେବେଳେ କାନ୍ଧରେ ବସି ଦୁଷ୍ଟାମୀ କରୁଥିଲା ଏକ୍ସ । ଏଲନ ମସ୍କଙ୍କ ସହ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ବେଳେ ବି ମସ୍କଙ୍କ ପିଲାମାନଙ୍କୁ ଦେଖିବାକୁ ମିଳିଥିଲା।

ଏକ୍ସ, ସ୍ପେସେକ୍ସ ଓ ମସ୍କ

ମସ୍କଙ୍କ ଜୀବନୀ ଲେଖିଥିବା ଓ୍ବାଲଟର ଇଜାକସନଙ୍କ ମତରେ ସବୁ ପିଲାଙ୍କ ମଧ୍ୟରୁ ଏଲନ ମସ୍କଙ୍କ ପାଇଁ ଏକ୍ସ ସ୍ବତନ୍ତ୍ର । ଇଂରାଜୀ ଆଲଫାବେଟ୍ ଏକ୍ସ ତାଙ୍କ ପାଇଁ ଶୁଭ ବୋଲି ଏଲନ ମସ୍କ ବିଶ୍ବାସ କରୁଥିବା କୁହାଯାଏ । ସେଥିପାଇଁ ଟ୍ବିଟରକୁ ନିଜ ମାଲିକାନାକୁ ନେବା ପରେ ସେ ଏହାର ନାଁ ପରିବର୍ତ୍ତନ କରି ଏକ୍ସ ରଖିଥିଲେ । ସେହିପରି ତାଙ୍କ ସ୍ପେସ୍ ଭେନଚର ନାଁ ରହିଛି ସ୍ପେସେକ୍ସ । ଆଉ ସେଥିପାଇଁ କୁନି ଏକ୍ସ ମସ୍କଙ୍କ ସବୁଠୁ ପ୍ରିୟ ବୋଲି କୁହାଯାଉଛି । ମସ୍କଙ୍କ ସହ ପିଲା ବେଳରୁ ହିଁ ନଜର ଆସୁଛି ଏକ୍ସ । କେତେବେଳେ କୋଳରେ ତ କେତେବେଳେ କନଫରେନ୍ସ ଟେବୁଲରେ ଦେଖିବାକୁ ମିଳୁଛି ।

ଇମେଜ ବନାଇବାକୁ ଏକ୍ସ ସାହାରା!

ଏକ୍ସକୁ ସାଙ୍ଗରେ ନେଇ ସବୁଆଡେ ଯିବା ଦ୍ବାରା ଏଲନ ମସ୍କ ନିଜର ସ୍ବତନ୍ତ୍ର ଇମେଜ ବନାଇବାକୁ ଚେଷ୍ଟା କରୁଥିବା ଅନେକ କହୁଛନ୍ତି । ଅଧିକ ଲୋକଙ୍କ ପାଖରେ ଗ୍ରହଣୀୟତା ବଢାଇବା ତଥା ନିଜ ଆଲଫା ମେଲ୍ ଇମେଜକୁ କିଛିଟା ବଦଳାଇବାକୁ ଉଦ୍ୟମ କରୁଥିବା କୁହାଯାଉଛି । ଏକ୍ସ, ସ୍ପେସେକ୍ସ, ଟେସଲା ଭଳି କମ୍ପାନୀ ସହ ଟେକ୍ ଦୁନିଆରେ ରାଜ୍ କରୁଛନ୍ତି ଏଲନ ମସ୍କ । କେବଳ ସେତିକି ନୁହେଁ ଡୋନାଲଡ ଟ୍ରମ୍ପଙ୍କୁ ପୁଣି ଆମେରିକା ରାଷ୍ଟ୍ରପତି କରିବା ପଛରେ ବି ମସ୍କଙ୍କ ହାତ ରହିଛି । ତେବେ ଏହାପରେ ଜଣେ ସ୍ନେହୀ ବାପା ଭାବେ ନିଜକୁ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି ମସ୍କ । ଏକ୍ସକୁ ସାଙ୍ଗରେ ଧରି ସେ ନିଜକୁ ଫ୍ୟାମିଲି ମ୍ୟାନ୍ ଭାବେ ଚିତ୍ରଣ କରୁଛନ୍ତି ।

ପିଲାଙ୍କୁ ସାଙ୍ଗରେ ନେଇ ବଡ ବୈଠକକୁ ଯିବା ଏଲନ ମସ୍କଙ୍କ ରଣନୀତି ବୋଲି ଅନେକ କହୁଛନ୍ତି । ସର୍ବସାଧାରଣରେ ପାରିବାରିକ ଜୀବନକୁ ପ୍ରଦର୍ଶିତ କରି କିଛି ଜିନିଷ ପ୍ରତି ଦୃଷ୍ଟି ହଟାଇବାକୁ ଉଦ୍ୟମ କରୁଥିବା କୁହାଯାଉଛି । ତେବେ ଆମେରିକା ଭଳି ଅନେକ ବିକଶିତ ଦେଶରେ ବେବିଜ୍ ଆଟ୍ ଓ୍ବାର୍କ ବା ପିଲାଙ୍କୁ କାର୍ଯ୍ୟସ୍ଥଳୀକୁ ନେବା ସଂସ୍କୃତି ରହିଛି । ରାଜନେତାଙ୍କ ସହ ବଡ ଅଧିକାରୀ ଆବଶ୍ୟକସ୍ଥଳେ ପିଲାଙ୍କୁ ସାଙ୍ଗରେ ନେଇ ଯିବା ଦେଖିବାକୁ ମିଳେ ।

Comments are closed.