Latest Odisha News

BREAKING NEWS

ରାଜ୍ୟର ୬ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ମୋ ସରକାର ଟିମର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ରିପୋର୍ଟ ସହ ରୋଗୀ ଓ ଡାକ୍ତରମାନଙ୍କ ମତାମତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ପାଇଁ ଶନିବାର ଦିନ ସହାୟତା ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ନୂଆ ଘୋଷଣା ମୁତାବକ ୫ଟି ଜିଲ୍ଲା ( ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡା ଓ ସୋନପୁର)ର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜ ଆଦି ୬ଟି ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇଦିଆଯିବ ।

ଏହି ୬ଟି ଜିଲ୍ଲାର ପୁଲିସ ଏସପିମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯିବ ।

ସମ୍ବଲପୁର:

ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ ମା ଗୃହ ପାଇଁ ନୂତନ ବିଲଡିଂ ନିର୍ମାଣ କରାଯିବ । ଏଠାରେ ଡାଇଲିସିସ ୟୁନିଟ ସହ ଆଇସିୟୁ ମଧ୍ୟ ପ୍ରତିଷ୍ଠା କରାଯିବ ।

ଦେବଗଡ

ଦେବଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ।

ଅନୁଗୁଳ

ଅନୁଗୁଳ ଜିଲ୍ଲାର ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହ ଡାଇଲିସିସ ୟୁନିଟର ସମ୍ପ୍ରସାରଣ କରାଯିବ ।

କେନ୍ଦ୍ରାପଡା

କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବା ସହ ନୂଆ କ୍ୟାମ୍ପସରେ ଷ୍ଟାଫ କ୍ୱାଟର୍ସ ସହ ଆଇସିୟୁ ସ୍ଥାପନ କରାଯିବ ।

ସୋନପୁର

ସୋନପୁର ଜିଲ୍ଲାର ସଦର ମହକୁମା ହସ୍ପିଟାଲର ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲଡିଂର ନିର୍ମାଣ କାର୍ଯ୍ୟ ୧ ମାସ ମଧ୍ୟରେ ଆରମ୍ଭ କରାଯିବା ସହ ହସ୍ପିଟାଲ ସେବାର ମାନ ବୃଦ୍ଧି ପାଇଁ ୫ଟି ନୂଆ ଯନ୍ତ୍ରପାତି ମଧ୍ୟ ଯୋଗାଇଦିଆଯିବ ।

ବଲାଙ୍ଗୀର:

ସେହିପରି ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ବିଲଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.